Unknown

 

 

 

 

 

 

 

 

 

ରୂପାୟନ

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

 

 

 

 

 

 

ଉତ୍ସର୍ଗ

 

ପଣ୍ତିତ ଗୌରୀଶଙ୍କର ଆଚାର୍ଯ

କାନ୍ତକରାଷୁ

–ଲେଖକ

•••

 

ପଦେ

 

ଓଡ଼ିଶାର ସୁପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ‘ରୂପାୟନ’ କବିତା ଗ୍ରନ୍ଥ ପ୍ରକାଶିତ ହେଲା । ଏଥିରୁ ବହୁତ କବିତା ଓଡ଼ିଶାର ବିଭିନ୍ନ ମାସିକ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

 

ରୂପାୟନ’ ପ୍ରଚ୍ଛଦପଟ ଅଙ୍କନ କରିଛନ୍ତି ଶ୍ରୀମାନ୍‍ ହରିଶରଣ ମହାପାତ୍ର, ସେ ଓଡ଼ିଶାର ଜଣେ ଶ୍ରେଷ୍ଠ ଚିତ୍ରଶିଳ୍ପୀ । ଚିତ୍ରଟି ସ୍ୱତଃ ପ୍ରବୃତ୍ତ ହୋଇ ଆଙ୍କିଦେଇ ସେ ଯେଉଁ ସୌଜନ୍ୟ ଦେଖାଇଛ଼୍ତି, ସେଥିପାଇଁ ଆମେ ତାଙ୍କ ପାଖେ କୃତଜ୍ଞ ।

 

ବାଣପୁର,

ପ୍ରକାଶକ

୨୫-୧୨-୫୮

କବି କୁଟୀର

•••

 

‘ରୂପାୟନ’ର ରୂପକାର କବି କୃଷ୍ଣଚନ୍ଦ୍ର !

 

‘ରୂପାୟନ’ର ରୂପକାର କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଶାର ପ୍ରବୀଣ ଓ ସ୍ୱନୀମଧନ୍ୟ ବାଣୀପୁତ୍ରମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ସାଧନା ଦୀର୍ଘକାଳବ୍ୟାପୀ–ସିଦ୍ଧ ମଧ୍ୟ ପ୍ରଚୁର । ‘ଆହୁତି’ ର ଦେଶ ପ୍ରାଣ କବି କୃଷ୍ଣଚନ୍ଦ୍ର, ‘ଅଗ୍ନିଶଂଖ’ ର ବିଦ୍ରୋହୀ କବି କୃଷ୍ଣଚନ୍ଦ୍ର ଏବଂ ‘ଆତ୍ମଲିପି’ର ଦରଦୀ ଓ ମରମୀ କବି କୃଷ୍ଣଚନ୍ଦ୍ର ଏବଂ ‘ଆତ୍ମଲିପି’ର ଦରଦୀ ଓ ମରମୀ କବି କୃଷ୍ଣଚନ୍ଦ୍ର ଓଡ଼ିଆ କାବ୍ୟପାକଠକ ପ୍ରାଣରେ ଯେଉଁ ସ୍ୱତଃସ୍ଫୁର୍ତ ଆବେଗ ଓ ମୂର୍ଚ୍ଛନା ସୃଷ୍ଟିକରିଛନ୍ତି ତାହା ଅକ୍ଷୟ ଏବଂ ଯେଉଁ ରେଖାପାତ କରିଛନ୍ତି ତାହା ଗଭୀର ଓ ଅମ୍ଳାନ । ଆଜି ସେଇ ପ୍ରବୀଣ ଓ ଅନୁଭୂତିପ୍ରବଣ କବି କୃଷ୍ଣଚନ୍ଦ୍ରଙ୍କର ‘ରୂପାୟନ’ ପୁଣି ଆତ୍ମପ୍ରକାଶ କରିବାକୁ ଯାଉଛି । କବିଙ୍କର ସସ୍ନେହ ଅନୁରୋଧ, ମୁଁ ଯେପରି ଏହି ଗ୍ରନ୍ଥର ମୁଖବଂଧଟିଏ ଲେଖିଦିଏଁ । କିନ୍ତୁ ଅନୁଭୂତିରେ ଯେ ମୋଠୁଁ ପ୍ରବୀଣ ଓ ସାଧନାକ୍ଷେତ୍ରରେ ମଧ୍ୟ ସେ ମୋର ଅଗ୍ରଜ, ତାଙ୍କର ରୂପାୟନର ରୂପସଂଭାର କଳନା କରିବାକୁ ଯିବା ମୋ’ ପକ୍ଷରେ ଦୃଷ୍ଟତା ବୋଲି ହୁଏତ ବିବେଚିତ ହୋଇପାରେ, ତଥାପି କବିଙ୍କର ଅନୁରୋଧକୁ ମୁଁ ଏକ ସ୍ନେହାଦେଶ ବୋଲି ଜ୍ଞାନକରି ‘ରୂପାୟନ’ର ରୂପପ୍ରତି ଏକ ମୁଗ୍‍ଧ ଦୃଷ୍ଟି ଦେବାକୁ ଅକୁଣ୍ଠ ଭାବରେ ପ୍ରୟାସୀ ହୋଇଛି ମାତ୍ର ।

 

‘ରୂପାୟନ’ର କବି କୃଷ୍ଣଚନ୍ଦ୍ର ବ୍ୟଥା, ବିଦ୍ରୋହ ଓ ଜୀବନନିଷ୍ଠାର କବି । ଏକ ସ୍ୱର୍ଚ୍ଛ ଗିରିସ୍ରୋତ ଭଳି କବି ହୃଦୟର ଆବେଗ ଓ ଉଚ୍ଛାସ୍ୱ ପ୍ରତି କବିତା ମଧ୍ୟରେ କେତେବେଳେ ସମତଳ ଓ ଛନ୍ଦ୍ରୋବଦ୍ଧ, କେତେବେଳେ ବା ସ୍ୱାଭାବିକ ଋଜୁତା ଓ ବକ୍ରତାକୁ ବହନ କରି ମୁକ୍ତଛନ୍ଦରେ ପ୍ରବାହିତ । ଆଧୁନିକ ପରୀକ୍ଷା ବା ପ୍ରୟୋଗାବାଦୀ କବିମାନଙ୍କ ଭଳି ରୀତିସର୍ବସ୍ୱତା ବା ଆଙ୍ଗିକ ବୈଚିତ୍ୟକୁ କବି ନିଜ ସୃଷ୍ଟିରେ ପ୍ରଶ୍ରୟ ଦେଇନାହାନ୍ତି ଏବଂ ଅନୁଭୂତିକୁ ପ୍ରଜ୍ଞାର କଷଟିପଥରରେ ପରୀକ୍ଷିତ ଓ ରସାଣିତ କରିବାର ଜଟିଳ ଶିଳ୍ପଶ୍ରମକୁ କବି ସ୍ୱୀକାର କରିବାକୁ କୁଣ୍ଠିତ ହୋଇଛନ୍ତି । କିନ୍ତୁ ଯେଉଁ ସତ୍ୟ ଓ ମୁକ୍ତ ଶିଳ୍ପ-ଦୃଷ୍ଟି, ସ୍ୱଚ୍ଛ ଓ ସରଳ ଅଭିବ୍ୟକ୍ତି ଏବଂ ଆତ୍ମୀୟ ଓ ଆନ୍ତରିକ ନିଷ୍ଠା ସହଜାତ କବି ପ୍ରତିଭାର ସହଚର ସେ ସମସ୍ତ ସ୍ରଷ୍ଟାସୁଲଭ ଗୁଣାବଳୀ ରୂପାୟନର ରୂପସୃଷ୍ଟିରେ ପରିଲକ୍ଷିତ । ଆତ୍ମାର ଆବେଗଭରା ସୁନ୍ଦର ଉଚ୍ଚାରଣ ହିଁ କବତା । କବିର ସ୍ୱର ସାଧାରଣର ହୃଦୟକୁ ତେଣୁ କରେ ସଂକ୍ରମିତ ଓ ରସସିକ୍ତ । ଏ ଦୃଷ୍ଟିରୁ କବି କୃଷ୍ଣଚନ୍ଦ୍ର ଜଣେ ନିପୁଣ ସ୍ରଷ୍ଟା ଭାବରେ ଯଥାର୍ଥ ‘କବି’-ଗୌରବର ଅଧିକାର ।

 

ସମସ୍ତ ଦରଦ ଓ ଆଘାତକୁ ଆତ୍ମୀୟକରି ଏବଂ ‘ସବୁ ଗରଳରୁ ଅତି ଉତ୍କଟତର ମଣିଷ ଗରଳ’କୁ ପାନକରି କବି କୃଷ୍ଣଚନ୍ଦ୍ର ଅମୃତ ମନ୍ତ୍ରର ସାଧକ ଓ କାବ୍ୟ ଶତଦଳର ସ୍ରଷ୍ଟା ।

 

ସଂଗ୍ରାମ ଖାଲି ସଂଗ୍ରାମ କରି କରି

କ୍ଷତବିକ୍ଷତ କରି ଏହି ଦେହମନ

ପ୍ରାଣର ବଂଶୀ ବଜାଇବା ପାଇଁ ହେବ

ଦେଖୁ ଏ ଦୁନିଆ କରି ଯେତେ ହୀନତମ ।

 

ଅଶ୍ରୁଳ ଓ ଅଭିଶପ୍ତ ଜୀବନରେ ଏହା ହିଁ ସ୍ରଷ୍ଟର ଆତ୍ମବାଣୀ ଓ ଜୀବନାଦର୍ଶ । ସ୍ମୃତି ସଂବଳୀ କବି ପ୍ରାଣର ଉତ୍ତାପ ଓ ଦହନ ଭିତରେ ଏଇ ଜୀବନ ନିଷ୍ଠାର ଯେପରି ସାଧକ; ହୃଦୟଜଡ଼ିତ ସହସ୍ର ସୁଖଦୁଃଖର ବିମୋହିତ ମୂର୍ତ୍ତିର କବି ଯେପରି ସଂଧାନୀ ଓ ରୂପକାର । ଏଇ ଜୀବନନିଷ୍ଠା ଓ ବ୍ୟଥାସିକ୍ତ ମରମୀପ୍ରାଣର ପରିଚୟ ‘ସ୍ମୃତି’, ‘ଛାୟାର ପ୍ରେମ’, ‘ରାଣୀର ଅଭିଶାପ’, ପାହାଡ଼ୀ ବାଳିକା’ ଓ ‘ଖୋଜୁଥିବ’ ପ୍ରଭୃତି କବିତାଗୁଡ଼ିକରେ ଅତି ପ୍ରାଂଜଳ ଭାବରେ ଲିପିବଦ୍ଧ ।

 

ହସ ତୁମେ ହସ ହସ ଆହୁରି, ଆହୁରି ହସ

ନାଚିଉଠୁ ଦେହମନ ଅମୃତ ବିଭାରେ

ଯେଉଁଠି ଆନନ୍ଦ ନାଇଁ, ସେଇଠି ଜୀବନ କାହିଁ ?

ଜାନୁପାତି ମାଗେ ଆଜି ଜୀବନର ସେଇ ରସ ଟିକକ

କୁଣ୍ଠିତ ହେବନାଇଁ ଦବାରେ ।

 

ଜୀବନର ପବିତ୍ରତମ ଆଶୀର୍ବାଦ ପ୍ରାଣାଜ୍ଜଳ ରସଦୀପ୍ତ ହାସ୍ୟର ଏକ ରଶ୍ମିରେଖା ପାଇଁ କବିପ୍ରାଣ କିପରି ବ୍ୟାକୁଳ ଏବଂ ଅଶ୍ରୁ-ଅଭିଶାପଭରା ଏଇ ଧରିତ୍ରୀରେ ତାର ବିକାଶ ପାଇଁ ସ୍ରଷ୍ଟାର ମନ କିପରି ଅଧୀର, ଉପରୋକ୍ତ ପଂଙ୍‍କ୍ତି ସମୁହହିଁ ତାର ପ୍ରାମାଣିକ ସାକ୍ଷୀ ।

 

ଏହି ଜୀବନନିଷ୍ଠା ଅନ୍ୟ ଦିଗରେ କବି କୃଷ୍ଣଚନ୍ଦ୍ରଙ୍କୁ କରାଇଛି ସମାଜ ଚେତନ ଓ ସଂଗ୍ରାମ ଧର୍ମୀ । ଜୀବନ ପ୍ରତି ଅନନ୍ୟ ସାଧାରଣ ସହାନୁଭୂତି ଓ ସଂବେଦନଶୀଳତା ଥିବାରୁ ହିଁ ଦୀନା ସ୍ୱାଇଁ ଓ ମୂଷାହାଡ଼ିର ସୁଖଦୁଃଖ କବି ପ୍ରାଣେ ବଙ୍ମଯ୍ତ ହୋଇ ଲୋଡ଼ିଛି ଅଭିବ୍ୟକ୍ତି; ସରୋଜ ବାଳାର ଅଶ୍ରୁ, ହେମ ପ୍ରାଣର ରୁଦ୍ଧ ବାସନାର ବିଳାପ ଓ ନେତର ଛିନ୍ନ ବୀଣାର ରାଗିଣୀ ସେଇ ଏକଇ କାରଣରୁ କବି ମନରେ ତୋଳିଛନ୍ତି କାରୁଣ୍ୟର ଝଡ଼ ଓ ତୂଳୀରେ ଲୋଡ଼ିଛନ୍ତ କାନ୍ତ ପରିପ୍ରକାଶ । ଦାରିଦ୍ର୍ୟର ଅଭିଶାପ ଓ ଶୋଷକର ଅବିଚାରରେ ବ୍ୟଥିତ ହୋଇ କବିର ସମାଜ ଚେତନ ମନ କେବଳ ଅଶ୍ରୁପାତ ନୀରବରେ କରିନାହିଁ, ବହୁ କ୍ଷେତ୍ରରେ ବିଦ୍ରୋହୀ ମଧ୍ୟ ହୋଇଉଠିଛି ।

 

ହାଇରେ ହାଇରେ ହାକିମି ମିଞ୍ଜାସ

 

ଏ ମାଟି ଉପରେ ସବୁ ସଇତାନି ମୂଳ। ‘ନରିପାତ୍ରକୁ ଲକ୍ଷ୍ୟ କରି କବି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଶୋଷକ ଗୋଷ୍ଠୀ ପ୍ରତି ଏକ ନିଷ୍ଠୁର ଓ ନିର୍ମମ ଚେତାବନୀ ।

 

‘ମଣିଷ ମାରି ଯେ ମଣିଷ ହୋଇଚି

ବଞ୍ଚି ରହିଛି ଶତ ସୁଖ ସନମାନେ

ଆପେ ଆପେ ସିଏ ଜଳିପୋଡ଼ି ଦିନେ

ହୋଇଯିବ ଚୁରମାନ !

ସାମନ୍ୟ ନୁହେଁ ସାମାନ୍ୟ ନୁହେଁ

ନିଃସ୍ୱ ଆଖିର ଉଷ୍ମ ଲୋତକ ଧାର ।’

 

ଶୋଷକ ଗୋଷ୍ଠୀ ତାର ଆତ୍ମିକ ପାପରେ କ୍ରମଶଃ କ୍ଷୟ ଓ ଧ୍ୱଂସ ଆଡ଼କୁ ଗତିକରିବ–ଏ ଦୃଢ଼ ବିଶ୍ୱାସ କବିଙ୍କର ରହିଛି । କବିଙ୍କ ଚକ୍ଷୂରେ–

 

ଜୀବନର ଶିରୀ ଫୁଟାଇ ଫୁଟାଇ

ଅମୃତଧାରା ଛୁଟାଇ ଛୁଟାଇ

ଚାଲିବାକୁ ଏଇ ମହାଧରଣୀରେ

ଯାରେ ନାଇଁ ଲାଗେ ଭଲ,

ସେ ଜୀବନ ଗୋଟେ ଜୀବନ ବୋଲି ମୁଁ

ସୀଉକାର କଲେ

ରସନା ମୋହର ହେବ ପଙ୍କିଳତର ।

ତେଣୁ ଦରିଦ୍ର ଓ ପରିଶ୍ରମୀ ଜନତାକୁ ତାର ନ୍ୟାଯ୍ୟ ପ୍ରାପ୍ୟ ଦେବାପାଇଁ ଶୋଷକ ଓ ଅତ୍ୟାଚାରୀ ଗୋଷ୍ଠୀକୁ ସଚେତନ କରି କାବ୍ୟ ନିର୍ଦ୍ଦେଶ କବି ଦେଇଛନ୍ତି ।

ହେ ଜଗତ ! ଏମାନଙ୍କୁ ଦିଅ ତୁହି ବିପୁଳ ସମ୍ମାନ

ଏମାନଙ୍କ ପାଇଁ ସିନା ପୃଥିବୀରେ ସୁନାର ଫସଲ

ଏମାନଙ୍କ ପାଇଁ ସିନା ପୃଥିବୀର କଣ୍ଠେ ଜାଗେ ଗାନ ।

ପୁଣି ‘ଅସମାପ୍ତ ‘ଜୀବନ-ନିର୍ଝର’ ଓ ଜୀବନ୍ତ ବିପ୍ଳବ ତୁମେ’ ପ୍ରଭୃତି କେତୋଟି କବିତାରେ କବି –ପ୍ରାଣର ମାଟିପ୍ରୀତି, ଜାତୀୟତା ଓ ଦେଶପ୍ରାଣତା ଅତି ମନୋଜ୍ଞ ଭାବରେ ଆତ୍ମପ୍ରକାଶ କରିଛି । ଯେଉଁ ବୀର ସନ୍ତାନଗଣ ଦେଶ ଓ ଜାତି ପାଇଁ ଅକାତରରେ ଜୀବନୋତ୍ସର୍ଗ କରିଛନ୍ତି ଏବଂ ନିଜର ମୃତ୍ୟୁ ଦ୍ୱାରା ମରଣକୁ ମହିମାନ୍ୱିତ ଓ ଅମୃତମୟ କରିଯାଇଛନ୍ତି, ସେଇମାନଙ୍କ ଉଦ୍ଦେଶ୍ୟରେ ଏ କବିତାବଳୀ ଶିଳ୍ପୀ –ପ୍ରାଣର ପ୍ରଶସ୍ତି । ଦେଶପ୍ରାଣ, ଜାତିପ୍ରାଣ କବି ଗୋଦାବରୀଶଙ୍କ ପ୍ରତି ଉଦ୍ଦିଷ୍ଟ ‘ଜୀବନ-ନିର୍ଝର’ କବିତାଟି ଏ ଦିଗରୁ ଏକ ସାର୍ଥକ ଶିଳ୍ପ ସୃଷ୍ଟି ।

ରୂପାୟନର ରୂପକାର କବି କୃଷ୍ଣଚନ୍ଦ୍ର ସ୍ଥୂଳତଃ ଜୀବନପ୍ରେମୀ ଓ ମାନବବାଦୀ ଶିଳ୍ପୀ ଏବଂ ଯେ କୌଣସି ସଚ୍ଚୋଟ ଶିଳ୍ପୀ ଭଳି ନିଜର ସୃଷ୍ଟି ପ୍ରତି ଏକାନ୍ତ ବିଶ୍ୱସ୍ତ ରହି ଜୀବନର ସପକ୍ଷରେ ଓ ମୃତ୍ୟୁର ବିପକ୍ଷରେ ସେ ସର୍ବଦା ସଂଗ୍ରାମ କରିଆସିଛନ୍ତି । ତାଙ୍କର କାବ୍ୟସ୍ୱର ରାଜହଂସର କଳକଣ୍ଠର ମୂର୍ଚ୍ଛନା ଭଳି ସୁଲଳିତ ଓ ସୁଦୂରପ୍ରସାରୀ ଏବଂ ସେ ଯେପରି ଜୀବନର ସୁଖ-ଦୁଃଖ-ସୃଷ୍ଟ ଲୀଳାଚଞ୍ଚଳ ମୁହୂର୍ତ୍ତଗୁଡ଼ିକର ଅମୃତ ରୂପକାର ଏକ ସ୍ୱାଧୀନ ଚାରଣ । ନିଜର ଜୀବନବୋଧ ଓ ଶିଳ୍ପ ବିଶ୍ୱାସର ପରିଚୟ ଦେଇ ଅସଂଖ୍ୟ ରୂପସୃଷ୍ଟି ମଧ୍ୟରେ James Joyceଙ୍କ ଭାଷାର କବି କବି ଯେପରି ଘୋଷଣା କରିବାକୁ ଚାହଁଛନ୍ତି, Welcome, O Life-! I go to encounter for the millonth time the reality of experience and to forge in the smithy of my soul the uncreated conscience of my race.’’ କିନ୍ତୁ ରୂପକଳ୍ପର ପ୍ରୟୋଗ ଓ ଐନ୍ଦ୍ରିଜାଲିକ ବ୍ୟଞ୍ଜନା ସୃଷ୍ଟି ଯାହାକି ଅଭିବ୍ୟକ୍ତିକୁ ଅଧିକତର ରସାଣିତ, ଇଙ୍ଗିତଧର୍ମୀ ଓ ରୁଦ୍ଧିମନ୍ତ କରିଥାନ୍ତା, ତାହାର ଅଭାବ କବି କୃଷ୍ଣଚନ୍ଦ୍ରଙ୍କ କବିତାବଳୀରେ ପାଠକ ଅନେକ ସମୟରେ ଲକ୍ଷ୍ୟ କରିଥାଏ । ଭାଷାର ସୃଜନଶୀଳ କ୍ଷମତା ପ୍ରତି କବିପ୍ରାଣର ସଚେତନତା ବୃଦ୍ଧିପାଇବା ସଙ୍ଗେ କବିଙ୍କର କବିତାବଳୀରେ ପରିପକ୍ୱତାର ସ୍ୱାକ୍ଷର ଯେ ଅଧିକ ବଳିଷ୍ଠ ହୋଇ ପ୍ରତିଭାର ଦୀପ୍ତିକୁ ଅଧିକତର ଯାଦୁକରୀ ଓ ଉଜ୍ଜ୍ୱଳ କରିବ, ଏଥିରେ ସନ୍ଦେହ ନାହିଁ । ଏଥିପାଇଁ ମୁଁ ଅନ୍ତତଃ ଗଭୀର ଆଶାବାଦୀ; କାରଣ ଜୀବନର ମଧ୍ୟପଥରେ ବି କବି କୃଷ୍ଣଚନ୍ଦ୍ରଙ୍କ ପ୍ରାଣରେ ଆଜି ରହିଛି ଯୁବ–ସାଧକ-ସୁଲଭ ଉଦ୍ଦାମତ ଓ ବିଶ୍ୱକୁ ଆତ୍ମୀୟ କରିବା ଆକାଙ୍‍କ୍ଷାର ଉଚ୍ଛ୍ୱସିତ ଅଶ୍ରୁ ଲହରୀ, ଚକ୍ଷୁରେ ସ୍ୱପ୍ନାଞ୍ଜନ ମାରି ଏବଂ ସରଳ ଶିଶୁସୁଲଭ ସ୍ରଷ୍ଟାର ଏକ ଉଦାର ହୃଦୟ ଧରି ଏଇ ଧୂସର ଧରିତ୍ରୀରେ କବି ଆଜି ମଧ୍ୟ ରୂପାୟନର ପଥିକ ଓ ଜୀବନରାଗିଣୀରେ ସ୍ରଷ୍ଟା ।

ଶ୍ରୀ ଚିନ୍ତାମଣି ବେହେରା

ସମ୍ବଲପୁର, ତା ୨୦-୧-୫୯

•••

 

 

 

 

 

 

ଯିଏ ଯାହା ଏଥି କରି ଚାଲିଗଲା, ମାରି ଚାଲିଗଲା,

ନେଇ ଚାଲିଗଲା ପ୍ରତିକାର ତାର ନାଇଁ ?

ଯାହାର ରହିଚି ସୁବିଧା ସୁଯୋଗ

ଚିରଦିନ ସିଏ ଅମୃତ ଶିରୀ ଚାଲିଥିବ ପାଇ ପାଇ,

ଯେ ରହିଚି ତଳେ ପଡ଼ିରହିଥିବ ଚାହିଁ ରହିଥିବ

ତାହା ପାଇଁ କିଛି ନାଇଁ ?

•••

 

କିଏ କେଉଁଠି ଅଛନ୍ତି

 

ଜୀବନର କେତେ କେତେ ପରିଚିତ ସାଥି

ଏବେ କିଏ କେଉଁଠି ଅଛନ୍ତି ।

ସୁଦୂର ବିଦେଶେ କିଏ କରୁଚି ଚାକିରୀ

କିଏ ଚାଷ ବାସ କରି ଦିନ ତା’ର ନେଉଅଛି ହରି ।

ଅଭାବ ଓ ଅନାହାରେ କିଏ କାହିଁ କାଟୁଅଛି କାଳ ।

ଛଟପଟ ହେଉଛନ୍ତି ପାଞ୍ଚ ପ୍ରାଣୀ ତା’ର ପରିବାର ।

ହସି ଖେଳି କିଏ କାହିଁ ବିଭବରେ ରହିଅଛି କରି ଘରଦ୍ୱାର

କିଏ କାହିଁ କରୁଛି ନେତୃତ୍ୱ

ଦେଶ ପାଇଁ ଜାତି ପାଇଁ

କିଏ କାହିଁ ଦେଇ ଆତ୍ମବଳି

ହୋଇଅଛି ଏ ମାଟିର ଗୌରବ ସମ୍ଭାର ।

ବ୍ୟର୍ଥତାର ସୀମାହୀନ ପାରାବାରେ

କିଏ କାହିଁ ଯାଇଅଛି ବୁଡ଼

ପାଉନାଇଁ କୂଳ କ କିନାରା

ଅବସାଦ ଛାୟା, ରହିଛି ତା’ ଦେହମନ ପୂରି ।

କାହା ଘରେ କଣ୍ଟା ହୋଇ ଅଛି ଛଟା

ଡହେ କାର ଉଠିଛି ଦୁଦୁରା,

କିଏ ଏଥି ଘର କରି ରହିଥିଲା,

ନାଆଁ ତା’ର ଜଣାନାଇଁ ପୂରା,

କାହାର ବିଭବ ଥିଲା ସମସ୍ତ ଯାଇଛି ଉଡ଼ି

ପଥର ଭିକାରୀ ହୋଇ ବୁଲୁଅଛି

ନ ନୀର ନ ତୀର ହୋଇ

ଗୃହ ତା’ର ଦିଶୁଅଛି ଶ୍ମଶାନର ପୁରୀ ।

କାହା ତୁଲେ ଦେଖା ହୁଏ

ପଥେ ଘାଟେ କେତେ କେତେ ବେଳେ,

କାହା ସ୍ମୃତି ଜାଗିଉଠେ ବୁକୁତଳେ

ରୂପ ତା’ର, ବାଣୀ ତା’ର

ଦିଶି ଦିଶି ଯାଏ ନେତ୍ର ଡୋଳେ,

କାହା ତୁଲେ ହସ ଖେଳ

କାହା ତୁଲେ ତୁମୁଳ ବିଦ୍ରୋହ,

କାହା ତୁଲେ ବୁଲିବାର ବିଲ ପଦା ବନେ,

କାହା ତୁଲେ ବସି ଲେଖିବାର ମୋହନ କବିତା

ଗୋଟି ଗୋଟି ହୋଇ ସବୁ ପଡ଼ିଯାଏ ମନେ ।

କିଏ ସେ ବଞ୍ଚିଛି କିଏ ଅବା ନାଇଁ

ଆମେ ସବୁ ଗୋଟିଏ ସୂତ୍ରରେ ବନ୍ଧା କେତେଦିନ ପାଇଁ ।

ଆମେ ସବୁ ପରସ୍ପରେ କରିଚୁ ସାହାଯ୍ୟ,

ପରସ୍ପରେ କରିଅଛୁ କେତେ ଆପଣାର,

କେତେ ଦିନ କେତେ ରାତି

କେତେ ସନ୍ଧ୍ୟା କେତେ ଉଷା ଶରତ ବସନ୍ତ,

କାଟିଛୁ କେଉଁଠି ଆମେ

ପରସ୍ପରେ ବନ୍ଧା ହୋଇ କେତେ କେତେବାର ।

ଏଇ କ୍ଷୁଦ୍ର ଜୀବନର

କେତେ କାହା ତୁଲେ ପରିଚୟ ମଧୁ ଆଳାପନ ।

କେତେ କେତେ ନିବିଡ଼ ବନ୍ଧନ

କେତେ ସ୍ମୃତି କେତେ ମାୟା

କେତେ ଆଶା ଆକାଙ୍‌କ୍ଷାର ଢେଉ

କେମନ୍ତେ ରଖିଛି ମୋରେ

ସଜୀବ ସୁନ୍ଦର କରି

ନିଖିଳ ଏ ବସୁନ୍ଧରା ପରେ ।

ଏ ଯେ ମାଟି ମୋର

ଏ ସବୁ ସମ୍ପଦ ଧରି,

ସୀମାହୀନ ଅଶ୍ରୁ ହାସ୍ୟ ମେଳେ

ମୋରେ କେଡ଼େ ଆପଣାର କରେ !!

କା’ପାଇଁ ମୁଁ ଏଥି ଲୁହ ଢାଳେ,

କା’ ପାଇଁ ମୁଁ ହୁଏ ଉଲ୍ଲସିତ,

କା’ ପାଇଁ ମୁଁ ଗର୍ବ ଆଉ ଗଉରବ

ଏଥି ନିତି କରେ ଅନୁଭବ

କା’ ପାଇଁ ମୁଁ ହସି ଉଠେ

କା’ ପାଇଁ ମୁଁ ରଚେ ଏଠି ବିରାଟ ବିପ୍ଳବ ।

ମୋର ଏଠି କେତେ ପ୍ରିୟ

ମୋର ଏଠି କେତେ ସାଥି

କା ପାଇଁ ମୁଁ ଚିରଦିନ

ରଖିଅଛି ପାତି ମୋର ଛାତି ।

ମୋର ଏ ଜୀବନ

ବିରାଟ ସମୁଦ୍ର ପରି,

ସୀମାହୀନ ଊର୍ମି ତୋଳି

ଖେଳି ଉଠେ ମହା ସୃଷ୍ଟି ତୀରେ

ଏ ମାଟିର କେଉଁପାରେ

ମୋର କି ରାଇଜ ଅଛି

ଜାଣିବାକୁ ଲୋଡ଼େ ନାଇଁ ତିଳେ ।

କେତେ ବନ୍ଧୁ କେତେ ପରିଚୟ

ଚିରଦିନ ଅବ୍ୟୟ ଅକ୍ଷୟ

ଯିଏ ଯହିଁ ଥାଆନ୍ତୁ ବା ରହି

ବୁକୁ ତଳେ ଅଛି ମୁହିଁ ସବୁରିଙ୍କି ବୋହି

ମୋ ଜୀବନ ଅସରନ୍ତି ଆନନ୍ଦ ନିର୍ଝର

ସେଇ ସଖା ସେଇ ବନ୍ଧୁ ଆତ୍ମୀୟ ସୋଦର

ମୁଁ ସେମାନଙ୍କୁ ଚିର ଦିନ ଲୋଡ଼େ

ଚିରଦିନ ଝୁରେ

ଓଃ ଏ ଜୀବନ କେଡ଼େ ଋକ୍ଷ ପ୍ରାଣହୀନ ?

ଗୋଟିଏ ନିମେଷ ଯେବେ ସେମାନଙ୍କୁ ଭୁଲେ ।।

ଜୀବନର ପରିଚିତ କେତେ ସାଥି,

ଏବେ କିଏ କେଉଁଠି ଅଛନ୍ତି !!!

•••

 

ମୂଷାହାଡ଼ି

 

–୧–

ମୂଷାହାଡ଼ି ! ମୂଷାହାଡ଼ି ।।

ଖଲ୍ଲିକୋଟର ରାଜବଗିଚାରେ ରହିଅଛି ହୋଇ ମାଳି !

ସକାଳୁ ସଞ୍ଜ ଯାଏ ସେ କରଇ କାମ

ତା’ କାମର କିଏ ଦେବ ଅବା ପ୍ରତିଦାନ ?

ମାସକୁ ପାଉଛି ଟଙ୍କା ତିରିଶି ସବୁତକ ଯାଏ ଉଡ଼ି

ଦୁଇଟି ଭାରିଜା ତିନି ଚାରି ପିଲା

ଅଣ୍ଟେ ନାଇ ତ ଅଣ୍ଟେ ନାଇଁରେ

ଋଣ କରଜରେ ରହିଛି ନିୟତି ବୁଡ଼ି ।

ବଗିଚା ଭିତରେ ଛୋଟ କୁଡ଼ିଆରେ

ପିଲାଝିଲାଙ୍କୁ ଦେଖିଦେଲେ ବାରେ

କିଏ ସେ ହସୁଛି କିଏ ସେ ଖେଳୁଛି

କିଏ ସେ କରୁଛି ଅଳି

ଅନ୍ତରେ ତା’ର ଆନନ୍ଦ ଉଠେ ଭରି !

କାହାକୁ କାଖାଏ କାହାକୁ କୋଡ଼ାଏ

 

 

କାହା ହାତେ ଦିଏ ଗୋଟିଏ ପାଚିଲା ଜାମୁଁ

ଜହ୍ନ ରାତିରେ କାହାକୁ ଦେଖାଏ ଆକାଶେ ଜହ୍ନମାମୁଁ

ତା’ରି ହାତ ଗଢ଼ା ବଗିଚା ଭିତରେ

ଏ ପାଖୁ ସେ ପାଖେ ବୁଲି ବା ଆସିବ ଯିଏ,

ନିଶ୍ଚେ କହିବ ନନ୍ଦନବନ ଗଢ଼ିଅଛି ଏଥି କିଏ !

କେଉଁଠି ଦେଖିବ ମଲ୍ଲୀ ଗୋଲାପ

କେଉଁଠି ଦେଖିବ ଜାଇ ଯୂଈ ଧାଡ଼ି ଧାଡ଼ି

ଗନ୍ଧେ ଗନ୍ଧେ ସାରା ଉଦ୍ୟାନ ମହକି ପଡ଼ୁଛି ଖାଲି ।

କେଉଁଠି ପାଚିଛି ଟହ ଟହ ଫଳ

ଝରି ପଡ଼ୁଛି ବା ତଳେ

ସବୁଜ ଘାସର ଗାଲିଚା ଉପରେ

ପୁଷ୍ପ କେଉଁଠି ଝରେ ।

ଦିନସାରା ତୁମେ ଯେତେବେଳେ ଦେଖ

ମୂଷାହାଡ଼ ମୂଷାହାଡ଼ !!

କେତେବେଳେ ଅବା ପାଣି ତେଣ୍ଡୁଚି

କେତେବେଳେ କେଉଁ ଗଛ ଲଗାଉଚି

ବସିନ ଜମାରୁ ବସିନି ଜମାରୁ

କାମ ନାଇଁ କରି ଖାଲି

ସାଧକ ପରାଏ, କର୍ମୀ ପରାଏ କାମ ଖାଲି କରି କରି

ଦେଖିବ ତାହାର ମୁଖ ମଣ୍ଡଳେ

ଆନନ୍ଦ ହାସ ରହିଛି ନିଇତି ଭରି !

ସେଇ ବଗିଚାର କର୍ମ-କର୍ତ୍ତା ଆସିଲେ ନୂତନ ଜଣେ

ନୟନର ପ୍ରତି ଲାଲ୍‌ ଚାହାଣୀରେ

ପାଷାଣ ଚମକି ଉଠିବ ବା ପ୍ରତିକ୍ଷଣେ ।

ପ୍ରତି ବାକ୍ୟରେ ଶଳା ବଦମାସ

ରଚିଚି ତାଙ୍କ ପାଟିରେ ଉଆସ

ଯାହାକୁ ଦେଖିଲେ ତାକୁ ସନ୍ଦେହ

ଯାହାକୁ ଦେଖିଲେ ତାକୋଇ ହିଁ କହିଲେ

‘ତୁ ନୋହୁ କାମିକା ଲୋକ

ତୋହରି ନାଆଁରେ ଉପରକୁ ମୁହିଁ

ଲେଖିଦେବି ରୋକ ଠୋକ,

ଚାକିରିରୁ ତୁହି ବାହାରି ପଡ଼ିବୁ ବାରେ

ଜାଣିଛୁ ମୋ ନାଆଁ ନରିପାତ୍ର ମୁଁ-

କେତେ ଯେ କାହାକୁ ପିଆଇଛି ପାଣି

ଏ ମୋର କଲମ ଗାରେ ।’

ମୂଷାହାଡ଼ି ଠାରୁ ଆରମ୍ଭ କରି

ଯେତେକ କର୍ମଚାରୀ

ପ୍ରମାଦ ଗଣିଲେ ଭାରି !

ଦିନକେ ଚାଳିଶି ଦଣ୍ଡବତ ଯେ

ନ ଦେଲା ତାଙ୍କୁ କିଏ ?

ଚାଲିଗଲା ବେଳେ ନୂତନ ହାକିମ୍‌

ପଛରେ ତାଙ୍କ ଖୋସାମତ କରି

ଅଧବାଟ ଯାଏ ନଗଲା ନଗଲା ଯିଏ

ତାଙ୍କ ଆଦେଶ ଭଲ ବା ମନ୍ଦ, ସାର ବା ଅସାର,

ପ୍ରତିବାଦ ଯିଏ କଲା

ତାଙ୍କରି ଆଗେ ଟପ ଟପ ଯୋତା ମାଡ଼ି

ଯିଏ ବା ପଳାଇ ଗଲା

ସେ ହେଲା ତାଙ୍କ ପରମ ଶତ୍ରୁ

ସେ ହେଲା ଚକ୍ଷୁଶୂଳ

ହାଇରେ ହାଇରେ ହାକିମି ମିଞ୍ଜାସ

ଏ ମାଟି ଉପରେ ସବୁ ସଇତାନି ମୂଳ !

ନୂତନ ହାକିମ ରକ୍ତଚକ୍ଷୁ

ମୂଷାହାଡ଼ି ପରେ ପଡ଼ିଲା ପ୍ରଥମ କରି ।

ଆଣ୍ଟ କରି ସେ ଲେଖିଲେ କଲମ ମୁନେ

ଏ ଲୋକଟା କିଛି କାମ କରୁନାଇଁ

ବଗିଚା ଭିତରେ ନବାବ ପରାଏ

ରହିଛି, କେବଳ ଦିଇଟା ମାଇପ ଧରି;

ଏହାକୁ ବାହାର କର ।

ନୂତନ ଲୋକ ମୁଁ ଠିକ୍ କରିଛି,

କାମ ସେ କରିବ ଏହାଠୁ ଦିଗୁଣତର !

ପନ୍ଦର ଦିନପରେ

ଆଦେଶ ଆସିଲା-

‘‘ମୂଷାହାଡ଼ିଟାକୁ ଅନ୍ତର କରି

ଆଉ ଲୋକ ତୁମେ ରଖି ଦେଇ ପାର

ଆପଣା ଇଚ୍ଛାବଳେ ।’’

ମୂଷାହାଡ଼ି ଆଗେ ଆଦେଶ ପତ୍ର ପଢ଼ି

ନୂତନ ହାକିମ ଦାନ୍ତକୁ କଡ଼ମଡ଼ି

ନିଷ୍ଠୁର ଭାଷେ କହିଲେ ‘‘ଏଠାରୁ

ଚବିଶି ଘଣ୍ଟା ଭିତରେ ପଳାଇ ଯାଆ;

ନ ଗଲେ ଏଠାରୁ

ଧକ୍‌କିଆ ଦେଇ ବାହାର କରିବି ଜାଣିଥାଆ ଜାଣିଥାଆ !!’’

ଧକ୍‌କିଆ ଦେଇ କାହିଁକି ହେ ବାବୁ ! ବାହାର କରିବ ମୋତେ ?

ଚାଲିଯିବି ଇଲେ ଚାଲି ଯିବି ଇଲେ

ମୋର ବାପା ଅଜା ବଗିଚା ଏ ନୁହେଁ, ରହିଥିବି ସନ୍ତତେ !

କିନ୍ତୁ ମୁଁ ଖାଲି ପଚାରେ ଗୋଟିଏ କଥା

ଅନ୍ୟାୟ ମୋର କି ଅବା ଦେଖିଲ ?

କାଟି ଦେଲ ମୋର ଗଳା,

ପାଞ୍ଚ ପରାଣୀ କୁଟୁମ୍ୱ ମୋର ମରିଯିବେ ମରିଯିବେ

ଟିକିଏ ତୁମରି କରୁଣା ହେଲାନି ପରା !

ଉତ୍ତର ନାଇଁ ମିଳେ,

ପିଶାଚ ହୃଦୟେ କରୁଣାର ରେଣୁ

ଜାଗି କି ପାରିବ ତିଳେ ।।

 

କୁଡ଼ିଆ ଭାଙ୍ଗି ମୂଷାହାଡ଼ି ଆଜି ଚାଲିଛି ଆପଣା ଗାଏଁ

ଥରେ ଚାହେଁ ସେଇ କୁଡ଼ିଆରେ ତା’ର

ଥରେ ତା’ର ସେଇ ପ୍ରିୟ ବଗିଚାରେ ଚାହେଁ;

ଝର ଝର ଝର ନୟନଯୁଗଳୁ ଝରିପଡ଼େ ଲୁହଧାର

ଅପରାଧୀ ନୋହି କିଏ ସେ କାହିଁକି ଦେଲ ଏ ବଜ୍ରମାଡ଼ !

ଶେଷଥର ପାଇଁ ବଗିଚାର ପ୍ରତି ଗଛ ପତ୍ରରେ

ଅଙ୍ଗୁଳି ଚାଲି ଆଉଁସି ଆଉଁସି ଚାଲେ

ପ୍ରତି ଗଛ ଲତା କାନେ କାନେ ତା’ର କି କଥା କହନ୍ତି

ସିଏ ଏକା ଜାଣିପାରେ ।

ଟପ ଟପ ଲୁହ ଝରି ଝରି ପଡ଼େ ପ୍ରତି ଫୁଲେ ପ୍ରତି ଫଳେ

ପାଦ ଚାଲେନାଇଁ ଆଗକୁ ଆଗକୁ

ଚିତ୍ତତଳେ ତା ଚିନ୍ତା ଉଠଇ ଜାଗି,

ଏଇ ଫୁଲ ଫଳ ଗଛ ପତ୍ରରେ ଚାହିଁ

ଶେଷଥର ପାଇଁ ନୟନ ବୁଜନ୍ତା

ଏଇ ବଗିଚାର ତଳେ !

ସିଏ କାନ୍ଦୁଛି କାନ୍ଦୁଛନ୍ତି ତା’ ଦୁଇଟି ଭାରିଜା

କାନ୍ଦୁଛନ୍ତି ତିନି ଚାରି ପିଲାଛୁଆ,

କାନ୍ଦୁଛି ସାରା ବଗିଚାର ପ୍ରତି ଫୁଲ ଫଳ ଲତା

କାନ୍ଦୁଛି ସେଇ କୁଟୀରଟି ଯାହା ଅଦୂରେ ହୋଇଛି ଠିଆ !

ସୀମାହୀନ ଏ ଅଶ୍ରୁ ଭିତରେ

କାହାର କରୁଣା ନାଇଁ !

ମୂଷାହାଡ଼ି ଦୂରେ ଚାଲିଯାଇଅଛି

ବଗିଚା କିନ୍ତୁ ରହିଛି ତାହାରେ

ନୀରବେ ମଉନେ ଚାହିଁ !!!

–୨–

ମୂଷାହାଡ଼ି ! ମୂଷାହାଡ଼ି ।।

ଅଭାବ ଭିତରେ ଅଶ୍ରୁ ଭିତରେ

ଚାଲିଛି ତାହାର ନିଃସ୍ୱ ଜୀବନ ଗାଡ଼ି

ଯାଉଥିଲି ମୁହିଁ ପଥପ୍ରାନ୍ତରେ

ଦେଖିଲା ଦେଖିଲା ମୋତେ

ଆଖିରୁ ଦି’ଧାର ଲୁହ ପୋଛିଦେଇ

କହିଲା କହିଲା ‘ପଥର ଭିକାରୀ ହୋଇଗଲି ମୁହିଁ ବାବୁ

ଆଗର ବିଭବ ଆଗ ସମ୍ପଦ

ସରିଯାଇଅଛି ସବୁ !!

ଭାରିଜାଟି ମୋର ଦିଶୁଥିଲା ଯିଏ ରାଜଲକ୍ଷ୍ମୀରୁ ବଳି,

ଅଙ୍ଗେ ଅଙ୍ଗେ ମଧୁ ଯୌବନ

ରହିଥିଲା ଯାର ଭରି,

ବଳିତା ପରି ସେ ଯାଇଅଛି ଶୁଖି

ମାଗି ସେ ବୁଲୁଛି ସାଇ ସାଇ ଗାଆଁ ଗାଆଁ,

ହାଡ଼ ଦିଖଣ୍ଡ ଦିହରେ ହଲୁଚି

ଜୀଅଁନ୍ତା ରାଣ୍ଡ ପରି ବଞ୍ଚିଛି ଆହା !

ତିରିଶି ଟଙ୍କା ପାଉଥିଲି ଯାହା

ତିନିଶ ଟଙ୍କା ପରି ମୋତେ ଲାଗୁଥିଲା

ପିଲାଙ୍କ ମୁଖେ ଦେଉଥିଲି ମୁହିଁ ଢୋକେ

ଦୁଆରୁ ଦୁଆରେ ସାତ ହୀନିମାନେ ବୁଲି

ଦିନ ସରୁନାଇଁ ରହିଛି ଉପାସ ଭୋକେ-

ସବୁ ଜ୍ୱାଳାଠାରୁ ପେଟର ଯେ ଜ୍ୱାଳା,

ସହିବାର ନୁହେଁ, କହିବାର ନୁହେଁ

ଭାରି ଭିଡ଼ ! ଭାରି ଭିଡ଼ !

ଏ ସବୁ ଭାଳିଲେ ଦୁହିଁ ହୋଇଯାଏ ଶିର ।

କି ଯଶ ପାଇଲା କି ଶିରୀ ପାଇଲା

ମୋତେ ସେ ଅନାଥ କରି !

ମୁଁ ଯାହା ହେଉଛି

ମୋହ ତହୁଁ ବଳି ହେବନି ସେ ସାତସରି ?

ତତଲା ଲୁହ ମୋ ବହିଯାଏ ଯାହା,

ଆଠକାଳ ବାରମାସ

ପଡ଼ିବନି ବାବୁ ପଡ଼ିବନି ତା’ ଉପରେ ?

ଏ କି ବଡ଼ଲୋକି କହ ତ କହ ହେ ବାବୁ !

ଆନର ଓଠରୁ ଅନ୍ନ ଛଡ଼ାଇ ନେବା

ଛଳେ ବଳେ କଉଶଳେ !!

ପଡ଼ିଯାଇଛି ମୁଁ ପଡ଼ିଯାଇଛି ମୁଁ ଉଠି ତ ପାରୁନି ବାରେ

ଚାହିଁ ରହିଛି ମୁଁ ଚାରିଆଡ଼େ ଖାଲି ସୀମାହୀନ ହାହାକାରେ !

ହସ ଖେଳ ଆଉ ଆନନ୍ଦ ଦିନ ମରିଯାଇଅଛି ମୋର

ଜୀଇ ନ ଜୀଇଲା ପରି ମୁଁ ରହିଛି ହୋଇ ବାର ନାରଖାର ।

ବେକରେ ମୋହର ବନ୍ଧା ଏ ଯେଉଁ ତିନି ଚାରି ପିଲା ଛୁଆ

କିଭଳି କାହାକୁ ବଞ୍ଚାଇବି ମୁଁ

କେଉଁଠୁ କି ଅବା ଆଣି,

ଭୋକ ଉପାସରେ ଚିଙ୍ଗୁଡ଼ିମାଛ ପରି,

ହୁଅନ୍ତି ଛଟପଟ,

ଦେଖିଲେ ମୋହର ବୁକୁ ହୋଇଯାଏ ହାଣି !

କିଏ କାନ୍ଦିଲେ ଚାହିଁ ମୋ ମୁହଁରେ

ବୋଧ ଦେବି କେଉଁଭଳି ?

ବାପ ହୋଇ ଯେବେ ଜନ୍ମ ଦେଇଛି ଅନ୍ନ ନ ଦେଲେ ମୁଖେ

ଏ ଜୀବନ ମୋର ମରିଯିବାଠାରୁ ବଳି !!’

ମୂଷାହାଡ଼ି ! ମୂଷାହାଡ଼ି !

ଏତିକି କହି ସେ ଦୂରେ ଦୂରେ ଗଲା ଚାଲି

ହାତ ପଛେ ତା’ର ଆଖି ପୋଛି ପୋଛି

ପଛକୁ ଚାହିଁନି ଫେରି !!!

–୩–

ମୂଷାହାଡ଼ି ! ମୂଷାହାଡ଼ି !

ପାଗଳ ପରି ସେ ମହାଧରଣୀରେ

ବୁଲୁଅଛି ଚାରିଆଡ଼ ।

ସାରା ପୃଥିବୀରେ କିଛି ନାଇଁ ତା’ର, କେହି ନାଇଁ ତା’ର ଜଣେ,

ଗରଜି ଉଠୁଛି ଅନ୍ତର ତା’ର ମହାସମୁଦ୍ର ପରି

କି ନିଧି ଟିକକ ପାଇବାକୁ ପ୍ରତିକ୍ଷଣେ !

ପଚାରୁଛି ସିଏ ସାରା ପୃଥିବୀର ପ୍ରତି ଜୀବନରେ ଚାହିଁ

ଯିଏ ଯାହା ଏଠି କରି ଚାଲିଗଲା, ମାରି ଚାଲିଗଲା,

ନେଇ ଚାଲିଗଲା ପ୍ରତିକାର ତା’ର ନାଇଁ ?

ଯାହାର ରହିଛି ସୁବିଧା ସୁଯୋଗ

ଚିରଦିନ ସିଏ ଅମୃତଶିରୀ ଚାଲିଥିବ ପାଇ ପାଇ,

ଯେ ରହିଛି ତଳେ ପଡ଼ିରହିଥିବ, ଚାହିଁ ରହିଥିବ,

ତାହାପାଇଁ କିଛି ନାଇଁ ?

ପଦାଘାତ ପାଇ ପୃଥିବୀ ଅତଳ ତଳେ ଯେ ଯାଉଛି ଦବି,

ଚିରଦିନ ଧରି ନେତ୍ରଯୁଗଳୁ ଉଷ୍ମ ଲୋତକ ଯାଉଛି ଯାହାର ସ୍ରବି,

ଓଠରୁ ଯାହାର ହସ ଫୁଟୁନାଇଁ,

କଣ୍ଠୁ ଫୁଟୁନି କଥା,

ଚିରଦିନ ଧରି ଅବନତ ହୋଇ

ରହିଛି ଯାହାର ମଥା,

ବିରାଟ ଧରାରେ ଅନ୍ତରଟିଏ ନାଇଁ

ଟିକିଏ ତାହାକୁ ତଳୁ ତୋଳିନେବା ପାଇଁ ??

ନରିପାତ୍ର ! ତୁ କେଡ଼େ ନିଷ୍ଠୁର

କେଡ଼େ ନିର୍ମମ, କେଡ଼େ ତୁହିଁ ସଇତାନ !

ତୁ ଯେ ଆତତାୟୀ ତୁ ବାଟମାରଣା

ବିଷପାତ୍ର ତୁ

ମହାଧରଣୀର ବିରାଟ ଅକଲ୍ୟାଣ !

ତୋ’ ଦେହର ପ୍ରତି ଶୋଣିତେ ଶୋଣିତେ

ହିଂସା, ହତ୍ୟା ଚିରଦିନ ଲୀଳାୟିତ,

ବକ୍ଷ ଭିତରେ ତୋ’ର

କକ୍ଷ ରଚିଛି ମହାରାକ୍ଷସ

ଲକ୍ଷ୍ୟ କରୁଚି ପ୍ରତିଦିନ, ପ୍ରତିରାତି,

କାହାକୁ କରିବ କିଭଳି ଆତ୍ମସାତ୍‌;

ସବୁ ଅନ୍ୟାୟ ସବୁ ଅନୀତିର, ସକଳ ପାପର

ବିରାଟ ଦୁର୍ଗ ତୁହି

ଚାଲିଗଲାବେଳେ ପଥପ୍ରାନ୍ତରେ

ତୋହରି ଦେହର ପବନ ପରଶ ଛୁଇଁ,

ଝାଉଁଳି ପଡ଼ଇ ବିଷ ବାଷ୍ପରେ

ଆଘାତ ପାଇଲା ପରି,

କେତେ ସୁନ୍ଦର କାନ୍ତ-କୁସୁମ-କଳି,

ଏ ମାଟି ଉପରେ ତୋହରି ଅବସ୍ଥିତି

କୋଟି ଜୀବନର ମହାଅଭିଶାପ ପରି !

ନରିପାତ୍ର ତୁ ! ନରିପାତ୍ର ତୁ !

ସର୍ବସ୍ୱାନ୍ତ କରିଦେଇ ମୋତେ

ଫିଙ୍ଗିଦେଇଚୁ ଦୂରେ,

ପାଗଳ ପରି ମୁଁ ସାରା ପୃଥିବୀରେ

ଏ ପାଖୁ ସେ ପାଖେ ଘୂରେ;

ଯେ’ ଡାଳ ଧଇଲେ ସେ ଡାଳ ପଡ଼ୁଛି ଛିଡ଼ି

ଚାରିଆଡ଼େ ତୁହି ଖଞ୍ଜି ଦେଇଛୁ

ତୋ’ ମୁନିଆ ହତିଆର

କିଭଳି ମୋହର ବିଚ୍ୟୁତ ହେବ ସବୁ ସମ୍ପଦଶିରୀ;

ଯାଇଛି ମୋହର ଧନ ସମ୍ପଦ, ଯାଇଛି ବିଭବ, ମାନ,

ଭାଙ୍ଗି ପଡ଼ିଛି ନିଃସ୍ୱ ମୋହର ସୁନ୍ଦର ପରିବାର

ଚାହିଁଲେ ଯାହାରେ ପୂରିଉଠୁଥାଏ ପ୍ରାଣ !

ଭାରିଜା ମୋହର ଅତି ଆଦରର ଅତି ସେନେହର

ମୋ ପରାଣୁ ବଳି ବଡ଼

ରଜନୀଗନ୍ଧା ଖୋସି ତା’ କଜଳକେଶେ

ଜ୍ୟୋଛନା ରାତିରେ ପାଶେ ବସୁଥିଲା

ଓଠେ ତା’ ଫୁଠାଇ ହସ କି ମଧୁରତର !!

ଆଖିରେ ଆଖିରେ କହୁଥିଲା କିବା

ଅମୃତଭରା କଥା,

ଢ଼ଳିପଡ଼ୁଥିଲି ତା’ ବୁକୁ ଉପରେ

ବିସୋରି ପ୍ରାଣର ସକଳ ଦୈନ୍ୟ ବ୍ୟଥା !

ନିର୍ଜନ ରାତିରେ ମାରୁଆପାହାଡ଼ ଚୂଳେ

ମେଘ ତଳେ ତଳେ ଉଜ୍ଜଳ ଜହ୍ନ

ଯାଉଥାଏ ଯେବେ

ବୁଡ଼ି ଦୂରେ ବହୁଦୂରେ !

କଅଁଳ ପବନ ନୀଳ ଚିଲିକାର ପନ୍ତାରୁ ଯେବେ

ଆସୁଥାଏ ଥିରି ଥିରି

ନାଚିଉଠୁଥାଏ ଗୋଲାପ ମଲ୍ଲୀ

ପତ୍ର ଗହଳେ ଦେଖାଇ ତା’ ରୂପଶିରୀ,

ଚୁମ୍ୱନ ଦେଇ ତାହାରି ଗୋଲାପୀ ଓଠେ,

ତାହାରି କଅଁଳ ହାତଟି ସରାଗେ ଧରି,

ତାହାରି ଉଷୁମ ବକ୍ଷ ଉପରେ

ଟିକିଏ ଆଉଜିପଡ଼ି

ଚିକ୍‌କଣ ଏଇ ଘାସ ପଡ଼ିଆରେ

ବୁଲିଛି ମୁଁ କେତେ ବାର !

ମନେପଡ଼େ ଆଜି

ନେତ୍ରଯୁଗଳୁ ଖସିପଡ଼େ ଦୁଇଧାର !

ସେଇ ନିମ୍ୱଗଛର ଛାପ ଛାପ କିଆ ଚନ୍ଦ୍ରକିରଣ ତଳେ

ତାହାରି କୋଡ଼ରେ ରଖି ଏ ମଥାଟି ମୋର

କେତେ ଅମୃତ ପିଇନି ପରାଣ ଭରି

ସବୁ ସମ୍ପଦ ଗୋଟି ଗୋଟି ହୋଇ

ମନେ ମୋର ଯାଉଛି ପଡ଼ି !

ସେଇଠି ସେଇଠି ସେଇ ଗଛ ଛାଇ ତଳେ

କହିଥିଲି ତାରେ ଗଭୀର ସେନେହଭରେ

ବୁକୁପରେ ଯାକି ଧରି,

କି ଲୋଡ଼ା ତୋହର କହଲୋ ଝାଟିକା ?

ଯାହା ତୁ କହିବୁ

ଦେବି ତୋ’ ପାଇଁ କରି !

ଲାଜରେ ଲାଜରେ ଟିକିଏ ଟିକିଏ

ମୁଡ଼ୁକି ମୁଡ଼ୁକି ହସି,

‘ତୁମେ ଥିଲେ ମୋର ସବୁ ତ ରହିଛି,’

କହିଥିଲା ମୋତେ ଏଇ ଗଛତଳେ ବସି ।

‘ଏତେ ତୁମେ ଯେବେ

ଦେଖିପାରୁଛ ହେ ମୋତେ

ମୋ’ଠି ଯେବେ ଏଡ଼େ

ଲୋଭ ହେ ତୁମରି ସତେ,

ମୋ ପାଇଁ ଗୋଟିଏ

ସୋରିଷିଆ ମାଳି

କରିଦେବ କରିଦେବ !’

ଜୀବନେ ତାହାର ଏଇଟିକ ଅଳି

ପୂର୍ଣ୍ଣ କରିବା

ହେଲାନାଇ ସମ୍ଭବ !

ସଞ୍ଜେ ସକାଳେ ଆସୁଥାଏ ସେହୁ

ମୋ ପାଇଁ ଘୋଟଣା ନେଇ,

ଏ ସଡ଼କ ବାଟଦେଇ;

ଶୁଆପକ୍ଷିଆ ସେ କସ୍ତା ଗୋଟିଏ

ତା’ ଗୋରା ଦେହକୁ ଡଉଲ ଦିଶଇ କେଡ଼େ ।

ଢଳି ଢଳି ସେହୁ ଚାଲିଆସୁଥାଏ

କେଉଁ ରାଜରାଣୀ ତା’ ତୁଲ ହୋଇବ ଏଡ଼େ !

ଚାହୁଁଥାଏ ମୁହିଁ ସୁଦୂର ଲକ୍ଷ୍ୟ କରି

ଦିଶୁଥାଏ ତା’ର ଓଠ ହସଟିକ ତରାଫୁଟିବାର ପରି !

ବଗିଚା ଭିତରେ କାମ କରି କରି

ପ୍ରତି ଅଙ୍ଗରୁ ଝାଳ ଗମଗମ

ବୋହିଯାଉଥିଲେ ମୋର,

ଖରାରେ ତରାରେ ବୁଲି ବୁଲି କାହିଁ

ଶୁଖି ଯାଇଥିଲେ ମୁହଁ

କି ଗୁରୁ ଆଘାତ ମରମେ ମରମେ ପାଏ

ଛଳଛଳ ହୋଇ ଆସେ

ଆଖିରେ ତାହାର ଲୁହ !!

ଚାଳି ତା’ ପଣତ କାନି

ଅଙ୍ଗରୁ ମୋର ପୋଛିଦିଏ ଝାଳ

ସେନେହ ସୋହାଗ ଭରେ

ଏତେ ସମ୍ପଦ ଜୀବନେ କେଉଁଠୁ

ପାଇନି ପାଇନି ଥରେ !

ତାହାରି ଦେହର ଟିକିଏ ପରଶ

ତାହାରି ଓଠର ଟିକିଏ ମୋହନ ବାଣୀ

ତାହାରି ଆଖିର ଟିକିଏ ଉଷୁମ ଲୁହ

ତାହାରି ପ୍ରାଣର ଟିକିଏ ସେନେହମାୟା

ତାହାରି ବୁକୁର ଟିକିଏ ସହାନୁଭୂତି,

ତାହାରି ମନର ଟିକିଏ ମୁଗ୍‌ଧ ହାସ

ମୋତେ ରଖିଥିଲା ସଜୀବ ସରସ କରି,

କାଢ଼ିନେଇ ମନୁ ଗଭୀର ବେଦନା ପ୍ରାସ ।

ସେ ମଧୁଜୀବନ କୁଆଡ଼େ ଯାଇଛି ଚାଲି,

ବାୟା କୁକୁର ପରି,

କେଉଁ ଅପନ୍ତରାରେ ପଡ଼ି,

ଦିନ ଦିନ ଧରି ମୁଁ ଖାଲି ହେଉଛି ଘାଲି !!

–୪–

ମୂଷାହାଡ଼ି ! ମୂଷାହାଡ଼ି !

ପଚାରୁଛି ସେହୁ ନରିପାତ୍ରରେ

କି ଆତୁର ରଡ଼ି ଛାଡ଼ି !

ନରିପାତ୍ର ତୁ ନରିପାତ୍ର ତୁ ମୋତେ କଲବଲ କରି

ତୋହରି ଓଠରେ ହସ ଉଠୁଅଛି ଭରି ।

ଗର୍ବ ତୋହର ଗଉରବ ତୋର ଚିରକାଙ୍ଗାଳ

କରିଦେଇଅଛୁ ମୋତେ ।

ଟେରେଇ ଟେରେଇ ଚାରିଆଡ଼େ ଚାହିଁ

ବକ୍ଷ ଫୁଲାଇ ଚାଲିଛୁ ଏ ରାଜପଥେ !

ଦୁର୍ଗ ଗୋଟାଏ ଜୟ କଲାପରି ତୋତେ ଲାଗୁଅଛି କିରେ

ମୁଁ ବୁଡ଼ି ରହିଛି ଉଷ୍ମ, ଲୋତକ ନୀରେ !

ଯେତେ ସହକାରୀ କିରାନୀଅମଲା ଚାକର ବାକର ସବୁ

ଡରାଇ ଥରାଇ ମାରି ଓ ମରାଇ ତାଙ୍କ ଉପରେ;

ସାଜିଛୁ ବିରାଟ ପ୍ରଭୁ !

ଯେତେ ଯା’ ପଇସା ପେଟରେ ପକାଇ

ହିସାବ- ନଦେଇ କାରେ

ଭଦ୍ରଲୋକ ତୁ ସାଜି ଚାଲିଅଛୁ ଗଉରବ ସମ୍ଭାରେ !

ପାଟି ଫିଟାଇ କେ କହିଲେ ତୋହରେ

ତୋର ଯେତେ ଯାହା ଦୋଷ ଓ ଦୁର୍ବଳତା

କଲମ ମୁନରେ ଲେଖିଦେଇ ପଦେ

ତାଙ୍କୁ କରୁଚ ହିନସ୍ତା ହଟହଟା ;

କେତେ ଭଲଲୋକ ଦେବତା ପରି ଯେ

ଥିଲେ ଏଇଠାରେ ରହି,

କିଏ ଚାଲିଗଲେ କେଉଁ ଦୂର ଦେଶେ

ତୋ ଦାଉ ନ ପାରି ସହି;

କେତେ ହଇରାଣେ କିଏ ସେ କେଉଁଠି

କାଟୁଛି ମୋ ପରି କାଳ

କେତେ ଲୋକଙ୍କୁ କରିଦେଇଅଛୁ

ତୁହି ବାର ନାରଖାର

ତୋ ଉପରେ ଯେଉଁ ହାକିମ ରହିଛି

ଗୋବର ମଥାରେ ତା’ର

ତାକୁ ପୂଜା କରି ଶତ ଉପଚାରେ

ଚଳାଇଚୁ ତୋର ଯେତେ ଯାହା ଅନାଚାର

ନିଜର ଦୁଃଖ ହାରି ଓ ଗୁହାରି କହିବାର ପାଇଁ ଗଲେ

ବାଘ ପରି ସିଏ ଝପଟି ଆସୁଛି କହି ‘ବଦମାସ ଶଳେ’ ।

ହାକିମ ହେଲେକି ମଣିଶ ଏପରି କୁକୁର ହୋଇଯାଏ,

ନିଜକୁ ହତ୍ୟା କରି କରି ସେହୁ ଧରଣୀରେ ଚାଲିଥାଏ !!

ଜୀବନର ଯେତେ ଶିରୀ ସମ୍ମାନ

ଜୀବନର ଯେତେ ଅମୃତ ଗଉରବ

ତାହାଠୁଁ ବଳି ଅଛି କିବା ବଇଭବ ?

ଜୀବନର ଶିରୀ ଫୁଟାଇ ଫୁଟାଇ,

ଅମୃତଧାରା ଛୁଟାଇ ଛୁଟାଇ,

ଚାଲିବାକୁ ଏଇ ମହାଧରଣୀରେ

ଯାରେ ନାଇଁ ଲାଗେ ଭଲ,

ସେ ଜୀବନ ଗୋଟେ ଜୀବନ ବୋଲି ମୁଁ

ସୀଉକାର କଲେ

ରସନା ମୋହର ହେବ ପଙ୍କିଳତର !

–୫–

ମୂଷାହାଡ଼ି ! ମୂଷାହାଡ଼ି !

ଜୀବନର ଜ୍ୱାଳା ସମ୍ଭାଳିନାଇଁ ପାରି

କୁଆଡ଼େ, ଯାଇଛି ଚାଲି ।

ପ୍ରତଦିନ ପରି ସୂର୍ଯ୍ୟ ଆସୁଛି ନୀଳନଭତଳେ ଉଇଁ,

ପାହାଡ଼ ଶ୍ୟାମଳ କାନ୍ଥି ଉପରୁ

ସୁଲୁ ସୁଲୁ ବାଆ

ପ୍ରତିଦିନ ପରି ବହିଆସୁଅଛି ଗଛପତ୍ରରେ ଛୁଇଁ;

ପ୍ରତିଦିନ ପରି ହସି ଖେଳି କେତେ-

ଯୁବା ଯଉବନୀ ବାଳକ ବାଳିକା ଦଳ,

ରାଜପଥ ଧାରେ ଚାଲିଅଛନ୍ତି

ରଚି କଳ କୋଳାହଳ;

ପ୍ରତିଦିନ ପରି ଅସଂଖ୍ୟ ଜନସ୍ରୋତ

କିଏ କେଉଁ କାମେ

କେତେ ଆଶା କେତେ ଆକାଙ୍‌କ୍ଷା ନେଇ ହୁଅନ୍ତି ଗତାଗତ ;

ଏ ସବୁ ଭିତରେ ହସି ଖେଳି ଆଉ ମନ ସନମାନେ

ବୁଲୁନାହାନ୍ତି, ମୂଷାହାଡ଼ିର ସେ

ଟିକିଟିକି ପିଲାଛୁଆ

ଅରକ୍ଷ ହୋଇ କେ’କାହିଁ ପଡ଼ିଚି

ହିସାବ ତାହାର କିଏ ସେ ରଖିଛି ଆହା !

ମୂଷାହାଡ଼ି ପାଇଁ ଘଟଣା ସ୍କନ୍ଧେ ବହି

ଭାରିଜା ତାହାର ହସି ହସି ହସି

କିଆଫୁଲ ଖୋସି ଶିରେ

ଆସୁନି ଆସୁନି ଚାଲି,

ଭିଖାରୁଣୀ ପରି କେଡ଼େ ଅନାସ୍ଥ ହୋଇ

କେଉଁଠି ସେ ଥିବ, କିଭଳି ଜୀବନ ଚାଳି !

ଖଲ୍ଲିକୋଟର ଶତ ଶିରୀ ମେଳେ

ମୂଷାହାଡ଼ି ଆଜି ନାଇଁ,

ବ୍ୟସ୍ତ ହୋଇ ସେ, ବିକଳ ହୋଇ ସେ, ବ୍ୟଥିତ ହୋଇ ସେ

ଚାଲିଯାଇଅଛି କାହିଁ ।

ଖଲ୍ଲିକୋଟର ପ୍ରତି ଧୂଳିମାଟି

ତାହାରି ଉଷ୍ମଲୋତକେ ଆର୍ଦ୍ରତର

ଖଲ୍ଲିକୋଟର ପାହାଡ଼େ ପାହାଡ଼େ ବନକନ୍ଦରେ

ଶୁଭୁଛି ତାହାରି ବୁକୁର ଆର୍ତ୍ତସ୍ୱର !

କାନ୍ଦି କାନ୍ଦି ଚିର ବିଦ୍ରୋହୀ ଆତ୍ମା ତାହାର

ଲୁହ ନିଶ୍ୱାସ ଢାଳି,

ଖଲ୍ଲିକୋଟର ବାୟୁମଣ୍ଡଳେ

ଉଡ଼ି ସେ ବୁଲୁଛି ଖାଲି;

କହି ସେ ବୁଲୁଛି ଖଲ୍ଲିକୋଟର-

ପ୍ରତି ଘରେ ଘରେ

ଯୁବା ଯଉବନୀ

ବାଳକ ବାଳିକା

ସକଳର କାନେ କାନେ !

‘ମଣିଷ ମାରି ଯେ ମଣିଷ ହୋଇଛି

ବଞ୍ଚି ରହିଛି ଶତ ସୁଖସନମାନେ,

ଆପେ ଆପେ ସିଏ ଜଳିପୋଡ଼ି ନିଜେ

ହୋଇଯିବ ଚୁରମାର !

ସାମାନ୍ୟ ନୁହେଁ ସାମାନ୍ୟ ନୁହେଁ

ନିଃସ୍ୱ ଆଖିର ଉଷ୍ମଲୋତକ ଧାର !’

•••

 

ସରୋଜବାଳା

 

ଆମରି ଗାଆଁର ସରୋଜବାଳା ସେ ରୂପବତୀ ଗୁଣବତୀ

ରେଙ୍ଗାମେ କାହିଁ ଯାଇଅଛି ତା’ର ପ୍ରାଣ ପ୍ରିୟତମ ପତି;

ଜୀବନରେ କେବେ ଦେଖିଥିଲା ଥରେ ତା ନବୀନ ଯଉବନେ

ସେଇ ପରିଚୟ ସେଇ ଘେନାଘେନି ସବୁ ଦିନ ପଡ଼େ ମନେ;

ଆଜିକି ହେଲାଣି ସାତଟି ବରଷ କିବା ସାତଯୁଗ ସରି

ଚିଠି ଆସେନାଇଁ, ଦୂରେ ଥାଉ ତା’ର ରାଇଜେ ଆସିବା ଚଳି;

ଚାହିଁଛି ସରୋଜବାଳା

କେବେ ଆସିବେ ତା ପ୍ରାଣ ପ୍ରିୟତମ ନୟନୁ ଉଛୁଳେ ଧାରା ।

ବରଷ ବରଷ ଚାହିଁ ସେ ରହିଛି ସାଧକ-ସାଧନା ପରି

ଅନ୍ତର ତଳେ ଦୀପଟିଏ ପରି ପ୍ରିୟ ତା’ର ଉଠେ ଜଳି;

କେବେ ସେ ନୀରବେ କୁଟୀରେ ନିବାସି ଆଙ୍କଇ ମନେ ମନେ

ପ୍ରିୟ ଭଳି ତା’ର ଏ ମରରାଇଜେ ନାଇଁ ଆନ ଯୁବା ଜଣେ;

ମନେପଡ଼େ କେବେ ବିଶାଳ ଉରସ ଜାନୁଲମ୍ୱିତ କର

ମନେପଡ଼େ କେବେ କାନର ଝିଲିପି କପୋଳ ଉର୍ଜ୍ୱସ୍ୱଳ;

କହିବାର କେତେ କଥା-

ବାସର ରାତିରେ, ମନେପଡ଼ି ମନେ ଆଣଇ ଗଭୀର ବ୍ୟଥା ।

କିଏ ସେ କହିଲା ସରୋଜର ବର ଆଉ ନାଇଁ ଜୀବନରେ;

ଅନେକ କହିଲା ‘କମ୍ଭଉ’ଠାରେ ଥିଲା ଛଅମାସ ତଳେ;

ରଥିଆଣୀ ବୁଢ଼ୀ ଆଖି ମଳି ମଳି କହିଲା ଶୁଣିଚ ତୁମେ

ବମ୍ୱାରେ ପରା ‘ମୂର୍ଗୀ’ ସହର ଶୂନ୍ୟ, ନାହିଁଛି ଜଣେ;

ସରୋଜର ବର ଥିଲା ସେ ସହରେ କିସ ହେଲା କେ କହିବ ?

ରାମୀବୋଉ କହେ ସତ କି ମଣୁଚ ଜୀବନରେ ଆଉ ଥିବ ?

ସରୋଜ ସକଳ ଶୁଣି

ନୀରବେ ଅଶ୍ରୁ ଦୁଇଟି ଗଡ଼ାଇ ରହିଥାଏ ହୋଇ ତୁନି !

ଯଉବନ ଫୁଲ ଦିନୁଦିନ ତା’ର ମଳିନ ଯାଇଛି ପଡ଼ି

ଅଧରେ ଫୁଟୁନି ଆଗପରି ଆଉ କାନ୍ତ ଗୋଲାପ କଳି ;

ନୟନେ ନାଇଁ ସେ ମୋହନ ଦୀପ୍ତି, ଅଙ୍ଗେ ନାଇଁ ସେ ରୂପ

ବୁକୁତଳେ ତା’ର ଜଳଇ ନିୟତି ବିରହ-ବେଦନା-ଧୂପ;

ଜୀବନେ ତାହାର ରଙ୍ଗ ଦେବାକୁ ନାଇଁ ତା ଚିତ୍ରକର

ଶୁଷ୍କ, ଋକ୍ଷ, ଶୀର୍ଣ୍ଣ ଦିଶଇ ଯଉବନ କଳେବର !

ଖୋଜାହେଲା ଆନ ବର

ସରୋଜ ପୁଣି ଯେ ବିଭା ହେବ ବୋଲି ଲାଗିଲା ଆଡ଼ମ୍ୱର !

ଯିଏ ଯେତେ ଥିଲେ ସାଇ ପଡ଼ିଶାରେ କହିଲେ କି ଅଛି କ୍ଷତି

କେତେ କାଳ ଆଉ ଚାହିଁ ସେ ରହିବ ବାହା ହେଉ ଆନ ପତି

ଗାଆଁ ଗାଆଁ କେତେ ଖୋଜା ହେଲା ବର, ସରୋଜ ବିକଳ ଅତି

କିଏ ଧନୀ, କିଏ ପଣ୍ଡିତ ଜ୍ଞାନୀ, ଅଛି କାର ହାତୀ ଛାତି;

ବାଟି ବାଟି କା’ର ସଂପତ୍ତି ଅଛି, ଦ୍ୱିତୀୟ ପକ୍ଷ କିଏ,

ଗଜାବୟିସିଆ ତରୁଣ କିଏ ସେ ପାସ୍ କରିଛି ବି. ଏ.

ପ୍ରସଙ୍ଗ ବହୁ ଆସେ

ଏ ସବୁରେ ଖାଲି ସରୋଜ ନୟନ ଉଷ୍ମ ଲୋତକେ ଭାସେ !

ସରୋଜ କହିଲା, ‘‘ମୋହପାଇଁ କିଆଁ ବ୍ୟଥିତ ହେଉଛ ତୁମେ ?

ଯାହାକୁ ପ୍ରଥମେ ବରଣ କରିଛି ସେଇ ମୋର ପ୍ରିୟ ଜଣେ,

ଜୀବନେ ଯାହାକୁ ଆପଣାର କରି ବକ୍ଷ ଶୋଣିତ ଦେଲି

ତାହାକୁ କିଭଳି ଫିଙ୍ଗି, ସୁଦୂରେ ନଉକା ମୁଁ ଦେବି ମେଲି ?

ଫେରୁ ସେ ନ ଫେରୁ, ଥାଉ ବା ନଥାଉ, ସେ ଯେ ମୋର ପ୍ରିୟତମ ।

ତାହାରି ପାଶରେ ସମର୍ପିତ ମୋ ସମସ୍ତ ଯଉବନ ।

ସେଇ ଖାଲି ଏକା ଜଣେ

ଫୁଟାଇ ପାରିବ ଲକ୍ଷ କୁସୁମ ମୋ ମରୁ ରାଇଜ-କଣେ ।

‘‘କହନା କହନା ମୋରେ ଆଉ କିଛି କହନା କହନା

କାହାର କଥା ମୁଁ ପାରିବିନି ଶୁଣି, ତରଳି ଯିବିନି କ୍ଷଣେ;

ହିମାଦ୍ରି ଯଦି ମଥା ନତ କରେ, ଶୁଖିଯାଏ ପାରାବାର,

ଅସୀମ ଆକାଶ ମସ୍ତକ ପରେ ହୋଇଗଲେ ଚୁରମାର-

ଟଳିବନି ତିଳେ, ପ୍ରତିଜ୍ଞା ମୋର କଠୋରୁ କଠୋରତର

ସେଇ ମୋର ଧ୍ୟାନ, ସେଇ ମୋ ସାଧନା, ଏକାନ୍ତ ସେ ନିଜର;

ତାହାରି ନୟନ ପାତେ

ପ୍ରତି ଅଙ୍ଗ ମୋ ଲାବଣ୍ୟ ଧାରା ଉଛୁଲିବ ସାଥେ ସାଥେ ।

‘‘ଜନମେ ଜନମେ ପ୍ରିୟତମ ସେହୁ ଜନମେ ଜନମେ ସାଥି

ତାହାରି କୋଳେ ମୁଁ କାଟିବଇଁ କେତେ ମଦୀର ଜୋଛନା ରାତି ।

ମଧୁ କଳ୍ପନା ଅନ୍ତରେ ଯେତେ, ଫୁଟି ଫୁଟି ପାରିନାଇଁ

ଫୁଟିବ ଫୁଟିବ ନିଶ୍ଚୟ ଦିନେ ତାହାରି ପରଶ ପାଇ

ମହାବିଶ୍ୱର କେଉଁ ଅଞ୍ଚଳେ ଭେଟିବି ଦିନେ ମୁଁ ତାରେ

ପଦ-ପଙ୍କଜ ପଖାଳିବି, ମୋର ନୟନ ଅଶ୍ରୁଧାରେ

ସେ’ଦିନ ପୂରିବ ଆଶା

ସେ’ଦିନ ଫୁଟିବ ଅନ୍ତର ତଳୁ ମଞ୍ଜୁ ମଧୁର ଭାଷା ।’’

•••

 

ଅନ୍ୱେଷ

 

ଦରିଦ୍ର ତା’ର କୁଟୀର ଭିତରେ ଦେଖିଛି ହେମକୁ ଥରେ,

ଲାଜେ ଲାଜେ ତାର ଭ୍ରୂଲତା ଲଇଁପଡ଼ୁଥିଲା ମହୀତଳେ !

ସ୍ୱର୍ଗର ସୁନା ପାରିଜାତ ପରି ଫୁଟୁଥିଲା ଓଠେ ହାସ

ଚାହାଣୀରୁ ତାର ବାହାରୁ ଥିଲା କି ଅମୃତ ଉଚ୍ଛ୍ୱାସ !

କନକ ଗଉର ଅଙ୍ଗେ ତାହାର ଥିଲା ଲାବଣ୍ୟ ଝଳି

କେଶପାଶ ପୀଠେ ଲମ୍ୱିଥିଲା ତା’ ଯମୁନା ଲହରୀ ଭାଳି !

ନବ ଯଉବନ ପରଶେ ତାହାର ହସୁଥିଲା ବୁକୁତଳ

ଅନ୍ତର ତଳୁ କିବା ସଉରଭ ସ୍ଫୁରୁଥିଲା ଅବିରଳ !

କେଉଁ ସରଗର ଅପ୍‌ସରୀ ପରି ଦିଶୁଥିଲା ବରବାଳା

ଚାଲିଗଲେ ପଥେ ପଦ୍ମ ଉକୁଟି ଉଠୁଥିଲା ନିତି ପରା !

ଦେଖିଚି ହେମକୁ ଦେଖିଅଛି ମୁହିଁ ପଲ୍ଲୀର ଦୀନ କବି

ତା’ଭଳି କିଶୋରୀ ସୃଷ୍ଟି ପ୍ରଥମୁଁ ନାଇଁଥିବେ ସଂଭବି ।

ଦେଖିଛି ହେମକୁ ଦେଖିଅଛି ମୁହିଁ ନବ ଯଉବନେ ଥରେ

ପଥର ବୁକୁରେ ପଦ୍ମ ଫୁଟିବ ଚାହାଣି ତା’ ପଡ଼ିଗଲେ ।

ତା’ ଓଠ ବାଣୀରେ ମୁଗ୍‌ଧ ନ ହେବ କେ ଅଛି କଠୋର ଜନ

ଦେହେ ମନେ କିବା ମଧୁ ସଂପଦ ଢାଳିଅଛି ଯଉବନ !

ଦେଖିଛି ହେମର ରୂପ ଯଉବନ ଦେଖିଛି ବକ୍ଷ ତଳ

ଭାଳିଛି ସେ ଯହିଁ ରହିବ ସେଇଠି ସ୍ୱର୍ଗ ଯେ ଢଳ ଢଳ ।

ଭାଗ୍ୟଲକ୍ଷ୍ମୀ ସବୁ ବଇଭବ ଘେନି ତହିଁ ହେବେ ଠିଆ

ଯାହା ଘରେ ତା’ର ଚରଣ ପଡ଼ିବ, ହେବ ସେ ଯାହାର ପ୍ରିୟା ।

ଦେଖିଛି ହେମକୁ ଦେଖିଅଛି ମୁହିଁ ଦେଖିଛି ତା’ ରୂପଛଇ

ତା ଭଳି ରୂପସୀ ସରଗ ମରତ ପାତାଳେ ନ ଥିବେ ରହି ।

ଦେଖିଛି ହେମକୁ ଦେଖିଅଛି ମୁହିଁ ନବ ଯଉବନେ ଥରେ

ସେ ଏକା ପ୍ରଥମ ସୁନ୍ଦରୀ ହେବ ସ୍ରଷ୍ଟାର ଚାରୁ କରେ ।

କେତେ ଦିନ ପରେ ଦେଖିଛି ହେମକୁ ଦେଖିଛି ମୁଁ ପୁଣି ଥରେ;

ପଲ୍ଲୀରେ ନୁହେଁ ସୁଦୂର ନଗରେ କେଉଁ ଅଚିହ୍ନା ଘରେ ।

ନାଇଁ ତା’ର ସେଇ ପୂର୍ବର ତେଜ ପୂର୍ବର ସଉରଭ,

ନାଇଁ ତା’ର ନାଇଁ ତ୍ରିଭୂବନ ଜିଣା ଅନ୍ତର ଗଉରବ ।

କେତେ ଦିନ ପରେ ଦେଖିଛି ହେମକୁ ଦେଖିଛି ମୁଁ ପୁଣି ଥରେ

ମୋରେ ଚାହିଁ ତାର ନୟନୁ ଅଶ୍ରୁ ବହିଗଲା ତରତରେ ।

କଣ୍ଠୁ ଫୁଟିଲା କୋହ ଘନ ଘନ ମୋତେ ଚାହିଁ ମୋତେ ଚାହିଁ

କ୍ଷୀଣକଣ୍ଠେ ସେ କହିଲା–ମୁଁ ଆଉ ସେଇ ହେମ ହୋଇ ନାହିଁ ।

କେତେ ଦିନ ପରେ ଦେଖିଚି ହେମକୁ ଦେଖିଛି ମୁଁ ପୁଣି ଥରେ

ବୁକୁତଳ ତା’ର ଦୁହିଁ ହେଉଥିଲା କି ଗୁରୁ ଆଘାତ ଭରେ ।

ଚାହିଁ ମୋରେ ଚାହିଁ ପାରୁ ସେ ନ ଥିଲା ଲୁହ ଛଳ ଛଳ ଆଖେ

କହିଲା ସେ ମୋତେ–କି ମୁହଁ ଦେଖାଇ ଯିବି ଆଉ ଗାଆଁ ପାଖେ ।

ଚିର ପରିଚିତ ସାଥି ସଂଗାତ କଥା ପଚାରିବା ବେଳେ

ପାଟି ତା’ର ଖନିମାରି ଯାଉଥିଲା ବେଦନାର ଉଦ୍‌ବେଳେ

କୁଳବଧୂ ହୋଇ ବଂଚି ରହିବା ନାହିଁ ତା’ର ଅଧିକାର

ଏଇ ବାଣୀ ତା’ର ପ୍ରତି ଅଶ୍ରୁରୁ ଫୁଟୁଥିଲା ବାର ବାର !

ଶତ ଅଭାବର କଷାଘାତ ସହି ଗରିବର ହାତ ଧରି

ରହିଥିଲେ କାହିଁ ଭାଗ୍ୟବତୀ ମୁଁ ମନରେ ଥାନ୍ତି କରି ।

ଶାଗ ପେଜ ଖାଇ ପୁତ୍ରବତୀ ଯେ ତାହା ତହୁଁ ବଡ଼ କାହିଁ ?

ମାତୃତ୍ୱ ମୋ ଭିତରେ କାନ୍ଦେ ସୀମାହୀନ ଯୁଗ ପାଇଁ ।

କେତେ ଦିନ ପରେ ଦେଖିଛି ହେମକୁ ଦେଖିଛି ମୁଁ ପୁଣି ଥରେ

ଅନ୍ତର ତା’ର ମରି ଯାଇଅଛି ସୀମାହୀନ କଲବଲେ

ଉଦର ଜାଳାରେ ଜୀବନର ମଧୁ ସଂପଦ ଅଛି ମାରି,

କାନ୍ଦୁଛି ଆଜି କାନ୍ଦୁଛି ସେ ଯେ ଚିର ଅଭାଗିନୀ ନାରୀ !

ଫେରି ମୁଁ ଆସିଲି ଯେତେବେଳେ ମୋତେ କାନ୍ଦିଲା ଚାହିଁ ଚାହିଁ

ଭାଳୁଥିଲି ତା’ର ସେଇ ପଦେ ‘ମୁହିଁ- ସେଇ ହେମ ହୋଇ ନାହିଁ ।’

ଫେରି ମୁଁ ଆସିଲି ଯେତେବେଳେ ମୋତେ କାନ୍ଦିଲା ଚାହିଁ ଚାହିଁ

ଅନ୍ତର ବାଧା ବୁଝିବାକୁ ଅବା ତା’ର ଆଉ କେହି ନାଇଁ !

ଫେରି ମୁଁ ଆସିଲି ଫେରି ମୁଁ ଆସିଲି ତଥାପି ଚାହିଁଲି ଥରେ

କାନ୍ଦୁଛି ମୋତେ ଚାହିଁ ଚାହିଁ କିବା ଗୁରୁ ଉଦ୍‌ବେଗ ଭରେ ।

ମନେ ତା ପଡ଼ୁଛି ପ୍ରିୟ ପରିଜନ ସମାଜ ସୋଦର ସାଥୀ

ମୋ ଭିତର ଦେଇ ଅତୀତ ସ୍ୱପ୍ନ ନେତ୍ରେ ତା ଉଠେ ଭାତି ।

ଫେରି ମୁଁ ଆସିଲି ତଥାପି ଚାହିଁଛି ଗବାକ୍ଷ ଗୋଟି ଫେଇ

ବିଶାଳ ବସୁଧା ଉପରେ ତାହାର ହୋଇ ଜଣେ ନାହିଁ କେହି ।

ଦେଖିଲି ସୁଦୂରୁ ଅଶ୍ରୁ ପୋଛୁଚି ବସନାଞ୍ଚଳ ପାତି

ବକ୍ଷ ଭିତରେ ଗୁମରି ଉଠୁଛି- କେହି ନାଇଁ ମୋର ସାଥୀ !

ଫେରି ମୁଁ ଆସିଲି ତଥାପି ଚାହିଁଲି ଅଶ୍ରୁ ଉଠୁଛି ଭରି-

ନୀଳପଦ୍ମ ତା ନୟନ ଯୁଗଳେ କି ବିରାଟ ବ୍ୟଥା ଧରି ।

ଦେଖିଲି ସେ ସବୁ ଅଶ୍ରୁ ଭିତରେ ଦିଶୁଛି କି ଅଭିନବ

ଦେଖିଲି ଧରାରେ ସବୁ ଗଉରବୁ ବଳି ସେ ଯେ ଗଉରବ ।

ଦେଖିଲି ତାହା ମନ-ମନ୍ଦିର ଚିର ସୁନ୍ଦରତର

ଶୂନ୍ୟ ପଡ଼ିଚି ମିଳି ନାଇଁ ତା’ର ଜୀବନର ଈଶ୍ୱର ।

ଦେଖିଲି ତାହାର ଅନ୍ତର ଗୋଟି ସବୁ ଅନ୍ତରୁ ବଳି,

ଅଶ୍ରୁ ଭିତରେ ଦିଶୁଛି କି ଅବା ଅମୃତମୟ ପରି !

ଫେରି ମୁଁ ଆସିଲି ଫେରି ମୁଁ ଆସିଲି ତଥାପି ଚାହିଁଲି ଥରେ

ବିଶ୍ୱର ପ୍ରତି ଅନ୍ତର ତଳୁ ତା’ପାଇଁ କରୁଣା ଝରେ ।

ଅଶ୍ରୁ ଭିତରେ ଖୋଜୁଛି ସେ ତା’ର ସ୍ୱପ୍ନର ଚିରସାଥୀ

ପୂର୍ଣ୍ଣ ହୋଇନି ଆକାଂକ୍ଷା ତା’ର ଶୂନ୍ୟ ପଡ଼ିଛି ଛାତି ।

•••

 

ବାଜୁଛି ତା’ ବୀଣାତାନ !

 

ପ୍ରଧାନ ସାଇର ଦାମିଆର ଝିଅ ନେତ

ପ୍ରତିଦିନ ଯାଏ ବିଲ ଜଗିବାକୁ ସେ’ତ;

ପାହାଡ଼ର ତଳେ ଆମ୍ୱ ଗଛର ଛାଇ

ସେଠି ବସେ କେବେ, ହିଡ଼ ତଳେ ବସେ ଯାଇ ।

ମୁଗ ଦିନେ ମୁଗ ଧାନ ଦିନେ ଜଗେ ଧାନ,

ସଞ୍ଜବେଳକୁ ଘରେ ଫେରେ ସବୁଦିନ

ଦେଖିବାକୁ ପରା ପିଲାଟି ଡଉଳ ଅତି

ରୂପରେ ଗୁଣରେ ଖୁଣିବାକୁ କିଏ ଅଛି ?

ନିତି ହସୁଥାଏ ସଜ ପଦ୍ମଟି ପରି !

ବୟସ ତାହାକୁ ହୋଇବ ଷୋହଳ ସରି

ତା’ ଦିହକାନ୍ତି ଫୁଟି ତା’ ଛିଣ୍ଡା ବାସ

ବାହାରକୁ ପରା ହେଉଥାଏ ପରକାଶ ।

ଭଗାରି ହୋଇଲେ ଘଡ଼ିଏ ଚାହିଁବ ତାରେ

ଚାହାଣିରୁ ତା’ର ମାଧୁରୀ କି ଅବା ଝରେ ?

ଗୋରା ତକ ତକ ତମ୍ୱା କାଠିଟି ପରି

ସବୁରି ଆଖିରେ ନେତ ଭାରି ସୁନ୍ଦରୀ;

ସେ ପାହାଡ଼ ତଳେ କେବେ ସେ କାହାକୁ କାହିଁ

ଭଲ ପାଇ ଅଛି କିଏ କେବେ ଜାଣି ନାଇଁ ।

କିଏ ସେ ଦେଖିନି କା ବୁକୁରେ ବୁକୁ ଢ଼ାଳି

କରିଅଛି ନେତ ଜୀବନର ସଙ୍ଖାଳି !

କାହା କଥା ସିଏ ଭାଳୁଛି କିଏ ସେ ଜାଣେ

ଓଠୁ ତା’ର ହାସ ଲିଭି ତ ଯାଇନି ଧାନେ !

ତା’ମନ ଭିତରେ ସେ କେଉଁ ତରୁଣ ଯୁବା

ଫୁଲ ଫୁଟାଉଛି କେ ଜାଣି ପାରିବ ଅବା ?

କାହାକୁ ସପନ ଦେଖୁଛି ସେ ଦିନରାତି,

କି କଥାରେ କିଏ ଭୁଲାଇଛି ତା’ର ଛାତି,

ପାହାଡ଼କୁ ଚାହିଁ, ଚାହିଁ ଦୂର ବିଲମାଳେ

ନାଚି ଉଠୁଥାଏ ବକ୍ଷ ତା’ ବହୁବାରେ !

କିଏସେ କହିଛି–ଫେରିବି, ଆସିନି ଅବା

ତାହାକୁ ରହିଛି ଚାହିଁ ସେ କିଶୋରୀ କିବା !

ଗୋରା ତକ ତକ ଯଉବନ ତନୁ ତା’ର

କାହା ଭାବନାରେ ଉଲୁସୁଛି ବାର ବାର !

କା’କଥା ପଦକ ଛଣା ପୀୟୁଷରୁ ବଳି

ମନେ ପଡ଼ୁଅଛି, ଯାଉଛି ସେ ଅବା ସ୍ମରି ।

ସେ ବଣ ପାହାଡ଼େ କାହାର ସ୍ୱରୂପ ଛାଇ

ଦିଶି ବା ଯାଉଛି, ରହିଛି ତାହାରେ ଚାହିଁ

ପାହାଡ଼ ପବନେ ଶୁଣୁଛି କାହାର ବାଣୀ

କେ କହିଛି ତାରେ କରିବ ଜୀବନ ରାଣୀ

କେ ଯାଇଛି ଦୂରେ ବହୁଦୂରେ ଅବା ଚାଲି

ଫେରିଲେ, ତା’ବୁକେ ଆପଣାକୁ ଦେବ ଢ଼ାଳି ।

କାହାକୁ ଦେଇଛି ଅନ୍ତର ଭରି କଥା

ତା’ହାସେ ଭୁଲିଛି ସବୁ ଜଞ୍ଜାଳ ବ୍ୟଥା

ନୟନ ଆଗେ ତା’ ଦିଶିଯାଏ ଢଳଢଳ

ବିଚାରେ ମୋହର ପ୍ରିୟ କେଡ଼େ ସୁନ୍ଦର !

କେତେ ଦିନ ପରେ ସେ ପାହାଡ଼ ତଳେ ନେତ

ଶୋଇ ଯାଇଅଛି, ଆଉ ଉଠିନାଇଁ ସେ’ତ

ଗାଆଁର କେତେ ଯେ ଲୋକଗଲେ ଚାହିଁ ଚାହିଁ

କହିଲେ ‘‘ଆମ ଗାଁ ନେତ ମରିଅଛି ହାଇ !’’

ନୀଳକଇଁ ପରି ତା’ର ନୀଳ ଆଖି ଦୁଇ

କୁହାକୁ ଚାହୁଁଛି ଲକ୍ଷି ସୁଦୂର ଭୂଇଁ ।

ଓଠରୁ ତାହାର ମରିଯାଇନାଇଁ ହାସ

ଉଚ୍ଛୁଳି ଉଠୁଛି ଶୁଣି କାହା ସଂଭାଷ !

ଉଜଳ କପାଳେ ବୁଲିନି କଜଳ ଛାଇ

ଦରପଣ ପରି ଦିଶେ ଜକ ଜକ ହୋଇ !

କେଉଁ ପ୍ରଣୟୀର ମଧୁ ଚୁମ୍ୱନ ଲାଗି

ଚିରଦିନ ପାଇଁ ସେ ଅବା ରହିଛି ଜାଗି !

ସପନ ଦେଖୁଛି ସପନ ଦେଖୁଛି ନେତ

ଅସୀମ ସମୟ ପାଇଁ ଶୋଇ ରହି ସେ’ତ ।

ଅନ୍ତର ମନ ସକଳ ଅଙ୍ଗ ତା’ର

ତନ୍ମୟ ହୋଇ ପାଉଛି କି ସମ୍ଭାର !

ସୀମାହୀନ ସ୍ନେହ ସୀମାହୀନ ଆଶ୍ଳେଷ

ତା ପାଇଁ କେଉଁଠୁ ଆସେ ନୋହି ନିଃଶେଷ ।

ଅସୀମ ଛନ୍ଦେ ବାଜୁଛି ତା’ବୀଣା ତାନ

ଶୁଣରେ ପାହାଡ଼ ବିଲ ମାଳ ଡେରି କାନ !

•••

 

ଖୋଜୁଥିବ

 

ମୁଁ ଚାଲି ଆସିଲି ବରଜି ସୁଦୂର ଭୂଇଁ ।

ଚାଲି ଆସିବାର ଜଣା ତ ନଥିଲା ମୋତେ ।

ତୁମେ ଖୋଜୁଥିବ ନିତି ଚାରିଆଡ଼ ଚାହିଁ ।

ଦେଖି ତ ନଥିବ ବୁଲି ବୁଲି ପଥେ ପଥେ ।

ଗୋସାଣି ଗାଆଁର ଦୁର୍ଗାଶିଖରୀ ଶିଖେ

କେତେ ଖୋଜୁଥିବ ବୁଲି ରାଜପଥ ଧାରେ ।

କେତେ ବିଲ ବନ ନଦୀ ପ୍ରାନ୍ତର ଦେଖି,

କହୁଥିବ–ଆମେ ବୁଲି ଆସୁ ଏହି ଆଡ଼େ ।

କେଉଁ ଗଛତାଳ ଶାନ୍ତ, ଶୀତଳ ଛାଏ

ଠିଆ ହୋଇଥିବ ଏକାକୀ ଉଦାସ ମନେ;

ଭାଳୁଥିବ ଅବା ଅନ୍ତର ତଳେ ତଳେ-

ଆମେ କଥା ହେଉ ଏଠି ପରା ବହୁକ୍ଷଣେ ।

ଦୂର ନଉତଟ ଜଳଦ ପଟଳେ ଚାହିଁ,

ଲୁହ ଯାଉଥିବ ନୟନ ପ୍ରାନ୍ତୁ ବୋହି ।

ଏ କୁଟୀରେ ଆଉ ଆସିଲେ ନାହିଁ ତ ସିଏ ।

ସୁଖେ ଓ ଦୁଃଖେ ଆମେ ଥିଲୁ ସାଥି ହୋଇ ।

କେଉଁ ଝରଣାର କଳତାନେ ଢାଳି ମନ,

ଚଇତ ସଞ୍ଜେ କେଉଁ ଘାସ ପଡ଼ିଆରେ,

ବସିଥିବ ଏକା ଅନୁଭବ କରି କରି-

ରହିଲେ ସେ ଯାଇ କେତେ ଦୂରେ କେଉଁଆଡ଼େ ?

ନିର୍ଜନ ରାତିରେ ଘନ ଅନ୍ଧାର ତଳେ

ପରାଣ ବେଦନା ଘନାଇ ଆସିଲେ ତବ

ଲୁହ ଟପ ଟପ ତଳେ ଯାଉଥିଲେ ପଡ଼ି,

ମତେ କରୁଥିବ ବୁକୁଭରି ଅନୁଭବ ।

ହୃଦୟ ତଳର ବିରାଟ ବିପୁଳ ଆଶା

ଯାଉଥିବ ଯେବେ ଅଜ୍ଞାତେ ମରିମରି,

ପାଉ ତ ନଥିବ କାହାକୁ କହିବ ବ୍ୟଥା

ସେତେବେଳେ ମୋତେ ଯାଉଥିବ ଅବା ସ୍ମରି ।

ବିପୁଳ ବିଜୟେ ଉଲ୍ଲସି ଉଠିଲେ ବୁକୁ,

ଓଠତଳେ ଟିକେ ଜାଗିଲେ ମୋହନ ହାସ,

ଧାଇଁ ଆସୁଥିବ କାହାକୁ କହିବ ବୋଲି;

ଫେରି ଯାଉଥିବ ମରମେ ନିବହି ପ୍ରାସ ।

‘‘ଗଲେ ଯେବେ ଗଲେ ଏଇଠୁ ଥାନ୍ତେ ଯାଇ

ସବୁରି ଦେଖାରେ ସବୁରି ଜଣାରେ ହେଲେ;

ବିଦାୟ ବେଳର ଗୋଟିଏ ଅଶ୍ରୁ ଦେଇ

ଯୁଜିଥାନ୍ତି ମୁଁ ଚାଲିଯିବା ଶେଷବେଳେ’’ ।

କହିଥାନ୍ତି ମୁଁ ଲୁହରେ ପଖାଳି ଆଖି-

‘‘ଜୀବନରେ ମୋରେ ପାଶୋରି ଦେବନି ତିଳେ

ଦୁଃଖୀଜନ ମୁଁ ଜନମରୁ ଆଜିଯାଏଁ

ତୁମରି ପରଶେ ମୋତେ ଅମୃତ ମିଳେ’’ ।

ତୁମେ ଖାଲି ତୁମେ ମୋହରି ବିହୁନେ ତୁମେ

ଆନ୍ଦୋଳୁଥିବ କ୍ଷୁବ୍‌ଧ ସାଗର ପରି ।

ମନ କଥାଟିକ ମନତଳେ ଥିବ ରହି

ଜୀବନ ବଂଶୀ ଉଠୁ ତ ନଥିବ ଧରି !!

ଥିଲି ମୁଁ ତୁମର ଏତେ ପ୍ରିୟ ଆପଣାର

ମୋ ପରାଣେ ତବ ପରାଣ ଟିକକ ଢାଳି

ଦେଖୁଥିଲ ତୁମେ କି ମଧୁ ମୋହନ ଛଇ

କିଏ କାହିଁଗଲେ ଜଣେ ଯେ ଜଣକୁ ଛାଡ଼ି

ସାରା ପୃଥିବୀର କୋଟି ହତାଦତ ପାଇ

ଜୀବନେ ଟିକିଏ ହସି ତ ନଥିଲ ପାରି,

ଚାଖି ତ ନଥିଲ ଜୀବନର ମିଠାଟିକ

ଅଶ୍ରୁ ଅଭାବ ଭିତରେ ନିଜକୁ ଜାଳି ।

ନିଜରୁ ନିଜର କରି ଏ ଧରଣୀ ପରେ

କେହି ତ ତୁମକୁ ଗୋଟିଏ ନିମେଷ ହେଲେ

ତୁମରି ଆଖିରୁ ଅଶ୍ରୁ ଦିଓଟି ପୋଛି

କହିନାଇଁ କଥା ମମତାର ଉଦ୍‌ବେଳେ ।

ଦୁର୍ଗମ କେଉଁ ବଣ ଜଙ୍ଗଲ ତଳେ

ଦୁବଘାସ ମେଳେ ଘାସ ଫୁଲଟିଏ ପରି,

ଫୁଟି ଉଠୁଥିଲ, ସବୁରି ଚରଣ ପାତେ

ଯାଉଥିଲ ତୁମେ ମଉନେ ବିକଳେ ମରି ।

ତୁମରି ଗଂଧ ତୁମରି ଆଲୋକ ରେଣୁ

ଏ ମାଟି ଉପରେ ଖେଳାଇ ଦେବାର ଲାଗି

ବୁଦ୍‌ବୁଦ୍‌ ପରି ପ୍ରତି ମୁହୂର୍ତ୍ତ ଧରି

କେତେ ମଧୁ ଆଶା ମରି ମରି ଥିଲା ଜାଗି ।

କି ମଧୁ ନିମିଷେ ତୁମର ମୋହର ଦେଖା

(ତୁମେ) ଟିକିଏ ଫୁଟିଲେ ଆଶା ଉତ୍ସାହ ଧରି

କୋଟିନିଧି ମୋରେ ପାଇବାର ପରି ଲାଗେ ।

ତା’ ତହୁଁ ନଥିଲି ଜାଣି କିଛି ବଡ଼ କରି ।

 

 

ଋଷିକୁଲ୍ୟାର କନକ ସିକତା ମାଡ଼ି

ତୀର ବନ ବିଲେ ବୁଲି ଯାଉଥିବା ବେଳେ,

ତୁମେ କାହିଁ ପାଇଁ ବେଶି ବେଶି ମନେପଡ଼

ଏତେ ସଖା ସାଥି ଶିଷ୍ୟ ସୋଦର ମେଳେ ?

ଘେନି ସୀମାହୀନ ଅଭାବ ଓ ଅବହେଳା

ଏ ଜାତିର ମେରୁଦଣ୍ଡ ଯାଇଛି ଭାଜି;

ଟଙ୍କା ପଇସା କ୍ଷମତା ରହିଛି ଯହିଁ

ସେ ଏକା ଚାଲିଛି କୋଟି ଗଉରବେ ସାଜି ।

ତୁମେ ତ ଗରିବ ଆଜନମ ଆଜିଯାଏଁ

ତୁମରି ଭିତରେ ଯେଉଁ ଜ୍ୟୋତିଟିକ ଜଳେ,

କିଏ ସେ ଦେଖୁଛି କିଏ ସେ ବୁଝୁଛି ଅବା ?

ଝଡ଼ ଝଞ୍ଜାରେ ଦିକ୍‌ ଦିକ୍‌ ହୋଇ ଥରେ ।

ଟିକିଏ ସେନେହ ଟିକିଏ ମମତା ପାଇଁ

କେତେ ଚାହୁଁଥିବ ଚତୁର୍ଦିଗରେ ତୁମେ;

ଧକ୍‌କା ଉପରେ ଧକ୍‌କା ଆସିଲେ ପଡ଼ି

ବସି ରହିଥିବ ନିଆଶା ମଳିନ ମନେ ।

ତୁମରି ଲୁହରେ ମିଶାଇ ମୋ ଲୁହଟିକ

ଆସିବାର ବେଳେ କହିଥାନ୍ତି ମୁଁ ପଦେ,

ବନ୍ଧୁର ଯେତେ ହେଉ ହେ ଆମରି ପଥ

ଚାଲିବାକୁ ହେବ ବୀର ବିକ୍ରମ ମଦେ ।

ସଂଗ୍ରାମ ଖାଲି ସଂଗ୍ରାମ କରି କରି

କ୍ଷତ ବିକ୍ଷତ କରି ଏହି ଦେହ ମନ,

ପ୍ରାଣର ବଂଶୀ ବଜାଇବା ପାଇଁ ହେବ

ଦେଖୁ ଏ ଦୁନିଆଁ କରି ଯେତେ ହୀନତମ ।

ଆମରି ମଳିନ ଓଠ ତଳେ ତଳେ ସଖା

ବଳିଷ୍ଠ ହସ ଆମେଇ ତ ଫୁଟାଇବା;

ପଡ଼ି ରହିଥିଲେ ଚିରଦିନ ପଡ଼ି ପଡ଼ି

ପଙ୍ଗୁ ପରାଏ ଏ ଧରଣୀ ଛାଡ଼ିଯିବା

କେତେ ବନ ବିଲ ନଦୀ ପ୍ରାନ୍ତର ପାରେ

ରହିଲି ରହିଲି ତୁମକୁ ବରଜି ଦେଇ,

ଏଇ ହାତେ ପୋଛି ତୁମରି ଆଖିର ଲୁହ

ଆସି ମୁଁ ଥାନ୍ତି ନିଷ୍ଠୁର ବିଦାୟ ନେଇ ।

କେତୋଟି ଦିନରେ ପ୍ରାଣର ଯେ ଘେନାଘେନି,

କେତୋଟି ଦିନରେ ଏତେ ଯେ ମମତା ମାୟା,

ବିସୋରି ପାରୁନି ବିସୋରି ପାରୁନି ମୁହିଁ,

ଲୁହ ଛଳ ଛଳ ହୋଇ ଆସେ ଆଖି ଆହା !

ତୁମରି ଲୁହରେ ଆର୍ଦ୍ର ମୋ ଦେହ ମନ ।

ତୁମରି ବୀଣାରେ ସ୍ପନ୍ଦିତ ମୋର ହିୟା ।

ମୁଁ ଯହିଁ ବୁଲିଚି ତୁମେ ରହିଥିବ ଚାହିଁ,

ଖୋଜୁଥିବ ମୋତେ, ପାଉ ତ ନଥିବ ଆହା !

•••

 

ଜୀବନ-ନିର୍ଝର

–୧–

ତୁମେ ଯଦି ହୋଇଥାନ୍ତ ଏକଛତ୍ର ସମ୍ରାଟ ଗୋଟିଏ,

ବସିଥାନ୍ତ ଗଜଦନ୍ତ ସିଂହାସନ ପରେ,

ତୁମେ ଯଦି ହୋଇଥାନ୍ତ କୋଟିପତି ବ୍ୟବସାୟୀ ଜଣେ,

ତୋଳିଥାନ୍ତି ହେମ ହର୍ମ୍ୟ,

ରହିଥାନ୍ତି ସବୁବେଳେ ସବୁକାଳେ

ଟଙ୍କା ଆଉ ପଇସାର ପ୍ରାଚୁର୍ଯ୍ୟ ଭିତରେ;

ତୁମେ ଯଦି ହୋଇଥାନ୍ତ ହାଇଦ୍ରାବାଦ ନିଜାମଙ୍କ ପରି

ଭୋଗ ଆଡ଼ମ୍ୱର ଆଉ ଅହଂକାର ପ୍ରିୟ,

ତୁମେ ଯଦି ହୋଇଥାନ୍ତ ଅର୍ଥଗୃଧ୍ନୁ ଓକିଲ ମୁକ୍ତାର,

ମିଥ୍ୟା ଆଉ ଅନ୍ୟାୟ ଭିତରୁ

କରୁଥାନ୍ତ ନିୟତି ବାହାର କୋଟି ମିଥ୍ୟା ଖିଅ,

ତୁମର ଜୀବନ୍ତ ସମାଧି ହୋଇଥାନ୍ତା ବହୁଦିନୁ ବହୁକାଳୁ

ତୁମରି ଯେ ନିଜ ରୂପ

ଯାଇଥାନ୍ତା ମରି;

ପୃଥିବୀର ସୀମାହୀନ ପ୍ରଲୋଭନ ଶିରେ ହର୍ଯ୍ୟକ୍ଷ ବିକ୍ରମେ

କରି ପଦାଘାତ

ଫୁଟିଅଛି ଛୁଟିଅଛି ତୁମେ

ଦେଶପ୍ରାଣ ଜାତିପ୍ରାଣ

କବି ଗୋଦାବରୀ !!

–୨–

ସୀମାହୀନ ଦୁଃଖ ଦୈନ୍ୟ ଅଭାବ ଓ ଅନାଟନ

ଜୀବନର ପ୍ରଥମରୁ ଜୀବନର ଶେଷଯାଏ

କରିବାକୁ ରୁଦ୍ଧ ତବ ଜୀବନର ପଥ

ଆସିଛି ଆସିଛି ବହୁବାର,

କିନ୍ତୁ ତୁମକୁ ସେ ପାରିନାଇଁ କରି ପଙ୍ଗୁ ପଦାନତ,

ତୁମକୁ ସେ ପାରିନାଇଁ ଛୁଇଁ,

ତୁମେ କିନ୍ତୁ ନିରଳସ ଅନାହତ,

ଚାଲିଅଛି ବୀର ଦର୍ପେ

ସୀମାହୀନ ଉତ୍ସାହ ଓ ଉଦ୍ଦୀପନା ଧରି ।

ମନୁଷ୍ୟର ମହାଶକ୍ତି ପାଶେ ଅଛି କିବା ବାଧା ବା ବନ୍ଧନ ?

ସମସ୍ତ ରହିବ ଦୂରେ ପରାଜିତ ଶତ୍ରୁପରି

ହୋଇ ନତଜାନୁ ।

ତୁମେ ତା’ର ବିରାଟ ନମୁନା,

ଦେଇଛ ଦେଇଛ ଖୋଲି ପ୍ରାଣର ଯମୁନା,

ଡେଇଁ ଭୃଗୁ ଉପତ୍ୟକା, ଅଧିତ୍ୟକା ବିଶାଳ ଉପଳଖଣ୍ଡ,

ଚାଲିଅଛ ମାଡ଼ି

ଯୋଜନ ଯୋଜନ ବ୍ୟାପୀ ରୁକ୍ଷ ମରୁଶିରେ

ଅମୃତର ରସଧାରା ନିୟତ ଅଜାଡ଼ି !

–୩–

ଆମ ଗାଆଁ ଆମ ସାଇ ଆମ ପଡ଼ିଶାର-

ସୀମାହୀନ ଅଶ୍ରୁ ହାହାକାର,

ଦୁଃସହ ଦୁର୍ବହ ଯେ ବେଦନାର ଭାର,

ଦେଖି ଯିଏ ଦେଖେ ନାଇଁ, ଚାହିଁ ଯିଏ ଚାହେଁ ନାଇଁ,

ଚାଲିଯାଏ ପଥେ ପଥେ

ସିଏ କି ପୁରୁଷ ସିଂହ ?

ତା’ ଘେନିକି ପରାଚୀର ଦିଗ୍‌ବଳୟ ତୀରୁ

ହସି ହସି ନାଚି ନାଚି ଉଇଁଆସେ ପାଟଳ ତପନ

ଫେଇ ଘନ କୃଷ୍ଣ ରାତି ?

ପୁରୁଷସିଂହ ହେ ଗୋଦାବରୀଶ !

ଶିରେ ତବ ବାଜିଅଛି କଠୋର ଅଙ୍କୁଶ,

ପଥେ ପଥେ ପଡ଼ିଅଛି ତବ ସହସ୍ର କୁଳିଶ,

କାହାରେ ଖାତିରି ନାଇଁ କର,

ଗଢ଼ିଅଛ ଏଇ ମାଟି ଏଇ ଦେଶ

ପତିତ ଦଳିତ ନିଷ୍ପେଷିତ ବୁକୁତଳେ

ଜୀବନର ରସଧାରା ସୋହାଗେ ସଞ୍ଚାରି !

ତୁମେ ତୁମଲାଗି ନ ଥିଲ ତ ଆସି

ଆସିଥିଲ ସହସ୍ରର ଲାଗି

ସହସ୍ରରେ ନିଜଟିକ ଢାଳି

ହୋଇଅଛ ସହସ୍ରର ପରାଣ ସଙ୍ଖାଳି !

–୪–

ହେ, ଗୋଦାବରୀଶ !

ତୁମେହିଁ ଗୋଟିକଯାକ କବି !

ଜୀବନରୁ ବଡ଼କରି ଯାଉଥିଲ ଦେଶଟାକୁ ତୁମେ ଅନୁଭବି;

ଏ ଦେଶର ସୀମାହୀନ ଅରକ୍ଷ ଜନତା

ଏ ଦେଶର ବନ ବିଲ ପାହାଡ଼ ପ୍ରାନ୍ତର,

ଏ ଦେଶର ନଦୀ, ହ୍ରଦ ପାଟ ସରୋବର,

ଏ ଦେଶର ପୁରପଲ୍ଲୀ, ଏ ଦେଶର ଚନ୍ଦ୍ର ସୂର୍ଯ୍ୟ,

ଏ ଦେଶର ପୂଣ୍ୟ ସମୀରଣ,

ଏ ଦେଶର କିମ୍ୱଦନ୍ତୀ, ଏ ଦେଶର ଇତିହାସ,

ଏ ଦେଶର କାହାଣୀ ଅଗଣ୍ୟ,

ଏ ଦେଶର ରାଜା ମହାରାଜା, ଏ ଦେଶର ସେନା, ସେନାପତି,

ଏ ଦେଶର ଦାନ ଧର୍ମ, ଏ ଦେଶର ଅକ୍ଷୟ କୀରତି,

ଏ ଦେଶର ଦୈନନ୍ଦିନ ସୁଖ ଦୁଃଖ ସହସ୍ର ଘଟଣା,

ଏ ଦେଶର ଯେତେ ଯାହା ସାର ବା ଅସାର

ଯେତେ କୁସଂସ୍କାର ଆବର୍ଜନା,

ସମସ୍ତକୁ ରୂପ ଦେଇ, ସମସ୍ତକୁ ପ୍ରାଣ ଦେଇ

ରଚିଗଲ ଯେ ସୃଷ୍ଟି ନୂତନ

ତା’ର କ୍ଷୟ ନାହିଁ କଦାଚନ !

ଏ ଭଳି ଜୀବନ୍ତ କରି, ଏ ଭଳି ଅନ୍ତର ଭରି

ଦେଇଗଲ ଯେଉଁ ମଧୁ ତାନ

ଯୁଗେ ଯୁଗେ ରହିବ ଅମ୍ଳାନ ।

ଏ ମାଟିକୁ ପ୍ରାଣଭରି ନ ପାଇଲେ ଭଲ

ଫୁଟି ଫୁଟି ଆସେ କେବେ

ଏଇଭଳି ପ୍ରାଣବନ୍ତ କବିତା ନିର୍ଝର !

–୫–

ମୃତ୍ୟୁ ଓ ଜୀବନ ମେଳେ ଯେ ଟିକକ ବ୍ୟବଧାନ ରେଖା

ତୁମପାଖେ କାହିଁ ତା’ର ସ୍ଥିତି ?

ଜୀବନ ଜୀବନ ତୁମେ କେବଳ ଜୀବନ ।

ଅନନ୍ତର ଅସୀମର ତୁଲେ ଯାଇଅଛ–

ରଚି ଯେଉଁ ପ୍ରାଣର ବନ୍ଧନ

ଜୀବନ୍ତ ସେ ସୁନ୍ଦର ସେ, ଅକ୍ଷୟ ସେ ଅବ୍ୟୟ ସେ,

କାଳଦନ୍ତ କାଟି,

ରହିଥିବ, ଥିବାଯାଏ ଏ ଧରଣୀ ଏ ଆକାଶ

ଏ ମାନବ ଜାତି !

‘ଆଲେଖିକା’, ‘କଳିକା’ ଓ ‘କିଶଳୟ’

ବା ‘ମୁକୁନ୍ଦ’ ଓ ‘ପୁରୁଷୋତ୍ତମ ଦେବ’

ଏ ସବୁରୁ ବଳି

ଆଉ କି ଜୀବନ୍ତ ସ୍ମୃତି

ଗଢ଼ିବା ସମ୍ଭବ

ତୁମ ପାଇଁ

ଜାଣିପାରେ ନାଇଁ ।

ହେ, ମୋର ଓଡ଼ିଆ ଜାତି !

ବୀରପୂଜା, ପ୍ରତିଭାର ପୂଜା

କରିବାକୁ ଯେବେ ତୁମେ ଚାହଁ

ତା’ର ସେ ପ୍ରାଣର ବାଣୀ

ଥରେ ପଢ଼ିଯାଅ !

ଦେଖିବ କିଭଳି ତୁମେ

ଆକାଶ ଅବନୀ ଭରି ଉଠିବ ପ୍ରସରି

ଚାହେଁ ଯାହା ଦେଶପ୍ରାଣ ଜାତିପ୍ରାଣ-

ପୁରୁଷ-ପୁଙ୍ଗବ

କବି ଗୋଦାବରୀ !!

•••

 

Unknown

ସ୍ମୃତି

 

ସେଇ ସୂର୍ଯ୍ୟ ଢଳିଢଳି ଆସେ

ଏଇ ନୀଳକାନ୍ତ ନଭେ;

ସେଇଭଳି ଆସେ ସନ୍ଧ୍ୟା ଶର୍ବରୀ ସକାଳ;

ସେଇଭଳି ଫୁଲଫୁଟେ, ବାଆ ବହେ;

ସେଇଭଳି ବନେବନେ ତରୁପତ୍ରେ

ଖେଳିଉଠେ ଶ୍ୟାମଳ ସମ୍ପଦ;

ସେଇଭଳି ତଟିନୀଟି ବହିଯାଏ

ଅବୋଧ୍ୟ ଗୀତିକା ଗାଇ ଦୂରେ ବହୁଦୂରେ;

ଫେରନ୍ତି ଗୋଧନ ପଲ;

ସନ୍ଧ୍ୟା-ତାରା ଉଇଁଆସେ; ଦିଗନ୍ତ ପାହାଡ଼ ଚୂଳେ

ପଡ଼େ ଜ୍ୟୋତ୍ସ୍ନା, ଶସ୍ୟ ଗନ୍ଧ ପବନେ ପବନେ ଆସେ-

ସୁଦୂରୁ ସଞ୍ଚରି,

ଦୂରଚାରୀ ପଥିକର ମୋହନ ସଙ୍ଗୀତ

ଭାସିଆସେ ବହୁଦୂର

ପରାଣେ ପରାଣେ ବାଢ଼ି

ଅତୀତର ମୋହନ ଉନ୍ମେଷ ।

କିଏ କାନ୍ଦେ, କିଏ ହସେ,

ଭବିଷ୍ୟର ସୁନେଲି କଳ୍ପନା କିଏ ଦେଖେ ବସି,

କିଏ କାହିଁ ଜୀବନର ଅନ୍ତିମ ଶୟନେ

ସୁଦୂରର ସ୍ୱପ୍ନ ଦେଖେ;

ଅନନ୍ତ ଘଟଣା ସ୍ରୋତ ବକ୍ଷତଳେ ବହି

ଚାଲିଛି ଏ ବିଶାଳ ଧରିତ୍ରୀ;

ଏ ସବୁ ଭିତରେ ମୋର କିଏ ଆଜି ପଡ଼ିଯାଏ ମନେ ?

କାହାରେ ଖୋଜେ ମୁଁ ଆଜି–

ହୋଇ ଆତ୍ମହରା ?

ନ ଆସିବ, ନ ଫେରିବ ଯିଏ

ତାହାପାଇଁ ଏତେ କିମ୍ପା

ଆକୁଳତା ବ୍ୟାକୁଳତା,

ତାହାପାଇଁ ଏତେ କିମ୍ପା

ଅନ୍ୱେଷଣ ମୋର ?

ଏଇ ପଥ ଘାଟ

ଏଇ ବିଲ ବନ ଶଇଳ ପ୍ରାନ୍ତର

ସକଳରେ ପଚାରେ ମୁଁ

ଥର ଥର କରି,

ଆଉକି ଆସିବ ନାଇଁ

ଚିରଦିନ ଚିରକାଳ ଧରି

ସେ କି ଆଉ ଫେରିବନି ?

ଯାହା ଯାଏ ସେ କି ଯାଏ ଅନନ୍ତ ସମୟ ପାଇଁ

ଦୂରେ ଦୂରେ ବହୁ ଦୂରେ ନୀରବେ ଉଭାଇ

ଚିହ୍ନ ବର୍ଣ୍ଣ ମିଳେନାଇଁ ତା’ର ?

ତେବେ କିମ୍ପା ଗଭୀର ପ୍ରତୀକ୍ଷା ମୋର ?

ଏତେ ଭଲ ପାଇବାର

କରିବାର ଏତେ ଆପଣାର

ସବୁ କ’ଣ ବ୍ୟର୍ଥତାର ଅନନ୍ତ ସମୁଦ୍ର ନୀରେ

ବୁଡ଼ିଯିବା ପାଇଁ

ଏତେ ସେ ବନ୍ଧନ ମାୟା

ଜୀବନର ଏତେ ଏତେ-

ପ୍ରାଣ ଦିଆଦେଇ

ତା’ର କ’ଣ ଅର୍ଥ କିଛି ନାଇଁ ?

ସବୁ ସତେ କ୍ଷଣିକ ଭଙ୍ଗୁର ?

ସବୁ ବ୍ୟର୍ଥ ? ସବୁ ତୁଚ୍ଛ ?

ସବୁ ଖାଲି ମୋହ ଇନ୍ଦ୍ରଜାଲ ?

ସୀମାହୀନ ପ୍ରହେଳିକା ଭିତରେ କି ଖାଲି

ଛନ୍ଦିହୋଇ ଚାଲିଅଛି ନର ?

ନିଜରେ ବିଚାରି ଏତେ ବିଜ୍ଞ ଓ ବିବେକୀ

ଆସୁନି ବିଶ୍ୱାସ ମୋର

ଜୀବନର ବିଶାଳ ସାଧନା–

ବର୍ଷ ବର୍ଷ ଯୁଗ ଯୁଗ ଧରି

ଗୋଟିଏ ନିମିଷେ ଯିବ

ସ୍ୱପ୍ନ ସମ ସୁଦୂରେ ଉଭାଇ ?

ଜୀବନ ଅଖଣ୍ଡ ସ୍ୱପ୍ନ ମହା ବିଧାତାର

ନାଇଁ ତା’ର ଧ୍ୱଂସ ନାଇଁ ଲୟ କାଳେ କାଳେ

ଛନ୍ଦିତୋଳି ଏ ସୃଷ୍ଟିର ବୀଣା ତାରେ ତାରେ

ବାଜି ବାଜି ଉଠେ ସେହୁ ଅନନ୍ତ ସମୟ ଧରି ।

ଆଜି ମୁଁ ଏ ମହାବିଶ୍ୱେ ଭଲପାଏ ଯାରେ

ତା’ର ଯଦି ସତ୍ତା ଆଜି ନାଇଁ ଏଠି

ତା’ରେ କିପାଁ ଭଲପାଏ ମୁହିଁ ?

ତା’ ପାଇଁ ମୋ ମମତା ବନ୍ଧନ

ଛିଡ଼ି ଛିଡ଼ି ଆସେ ନାଇଁ,

ବରଂ ବଢ଼େ ଅଧିକୁ ଅଧିକ ହୋଇ ।

ଶାଶ୍ୱତ ଅନ୍ତର ତା’ର

ଏ ବିଶ୍ୱର ପ୍ରତି ରେଣୁ କଣିକାରେ

ମିଶି, ଦାଉ ଦାଉ ଦିଶେନି କି ମୋତେ ?

ଖେଳିଛି ବୁଲିଛି ଯହିଁ

ଯହିଁ ସେ ଦେଖିଛି କେତେ ସ୍ୱପ୍ନ ମଧୁମୟ

ତା’ଅନ୍ତର ସେଠି ଆଜି କରେନି କି ବିଚରଣ ?

ନାଇଁ ଥିଲେ ତା ଅନ୍ତର ତହିଁ

ମୋରେ କିମ୍ପା ସେ ଥାନର ପ୍ରତିଟିକ

ଏତେ ଆଜି ଲାଗୁଥାନ୍ତା ଭଲ ?

ଏଇ ଗଛ ତଳେ

ମତେ କେତେ କହିଛି ସେ କଥା ।

ଆଜି ଯେବେ ସେଇ ଥାନେ

କରେ ମୁହିଁ ବିଚରଣ

ମୋର ଆଜି ହୁଏନି କି ଇଚ୍ଛା

ବୁଲୁଥାନ୍ତି ସେଥି ମୁହିଁ

ସ୍ମରି ତା’ର କାଳ କାଳ ଯୁଗ ଯୁଗ ଧରି

ମୋର ଯେହ୍ନେ ହୁଏ ମନେ

ଦେଖୁଛି ସେ ମୋତେ

ବୁଝୁଛି ସେ ମୋ ଅନ୍ତର ଅନୁଭୂତି

ତା’ ମୋ’ ଭିତରେ ଯେଉଁ–

ଟିକକ ବନ୍ଧନ

ସେ ଆଜି ନିବିଡ଼ୁ ନିବିଡ଼ ଲାଗେ;

ବୁକୁତଳେ

ସେ ଯେ ଆଜି

ମୁହୂର୍ମୁହୂ ଜାଗେ !

ମୁଁ ଯାରେ ପାଇଛି ଭଲ,

ବକ୍ଷ ଚିରି ଯାରେ

ଜୀବନ ସର୍ବସ୍ୱ ମୋର

ଦେଇଛି ଅରପି,

ଅନ୍ତରେ ଅନ୍ତରେ ଯାରେ

ଜୀବନର ଗଣ୍ଠିଧନ କରି

ରଖିଛି ସାଇତି

ଏ ସକଳ

ଏ ମହା-ସୃଷ୍ଟିର ପ୍ରତି ତନ୍ତ୍ରୀରେ ତନ୍ତ୍ରୀରେ

ବାଜୁଥିବ;

ସଙ୍ଗୀତର ମୋହନ ମୂର୍ଚ୍ଛନା ପରି

ଲିଭି ସେ ଯିବନି କେବେ !

ତେବେ ମୁଁ କେମନ୍ତେ କହ

ତାହା ପାଇଁ ହେବିନାଇଁ ଭାଳି ?

ମୋ ଭାଳିବା ମିଥ୍ୟା ନୁହେଁ,

ନୁହେଁ ଇନ୍ଦ୍ରଜାଲ;

ତାହାପାଇଁ କାନ୍ଦି କାନ୍ଦି

ଧରଣୀରେ ଯିବି ଯେବେ ଗଡ଼ି

ଉଚ୍ଚାରି ତାହାରି ନାଆଁ,

ତାରେ ଯେବେ ଚିରନ୍ତନ–

ହେଉଥିବି ଭାଳି,

ଅତୀତର ଯେତେ ଯେତେ

ସୁଖ ଦୁଃଖ ଅନନ୍ତ ଘଟଣା

ତା’ଭିତରେ ଆଙ୍କୁଥିବି,

ତା’ର ଯେବେ ମୂର୍ତ୍ତି ବିମୋହନ

ଏ ସବୁରେ ପ୍ରାଣ ଅଛି, ସତ୍ୟ ଅଛି,

ଅଛି ସାର୍ଥକତା !

କୌଣସିଟି ମିଥ୍ୟା ନୁହେଁ

ନୁହେଁ ଅସାର ପ୍ରଳାପ !

ସତ୍ୟରୁ ଜନମ ମୁହିଁ

ସତ୍ୟରୁ ଜନମ ମୋର–

ଅନ୍ତରର ସକଳ ମମତା,

ମୋର ଏ ଯେ ଅନ୍ୱେଷଣ

ତାରେ ପାଇବାକୁ

ଏ’ ଯେ ଗଭୀର ଆବେଗ,

ଏ କି ନୁହେଁ ସତ୍ୟ ତେବେ ?

ଯାହା ସତ୍ୟ ତାହାହିଁ ଆନନ୍ଦ

ଯାହା ଆନନ୍ଦ–

ତାହାହିଁ ଏ ସୃଷ୍ଟିର ପ୍ରକାଶ !

ତା ପାଇଁ ମୁଁ କରୁଚି–

ସେ ଅନ୍ୱେଷଣ

ନୁହେଁ ଅନ୍ଧ

ନୁହେଁ ଭ୍ରାନ୍ତ ମୁହିଁ ।

•••

 

ଜୀବନ୍ତ ବିପ୍ଳବ ତୁମେ

 

ତୁମେ ଏକା ଏ ମାଟିକି ବକ୍ଷଭରି ପାଇଅଛ ଭଲ

ତୁମେ ଏକା ଚିହ୍ନିଅଛ ଏ ମାଟିର ଅନ୍ତର ବାହାର ।

ତୁମେ ଏକା ପାଇଅଛ ଏ ମାଟିର ପୂର୍ଣ୍ଣ ପରିଚୟ

ତୁମେ ଏକା ଏ ମାଟିର ଖୋଜିଅଛ ଶାଶ୍ୱତ ବିଜୟ ।

ତୁମେ ଏକା ଏ ମାଟିକି କରିଅଛ ଅନୁଭବ

ହୃତ୍‌ପିଣ୍ଡର ସକଳ ସ୍ପନ୍ଦନେ

ତୁମେ ଏକା ଏ ମାଟିର ତୁଲେ ଆପଣାକୁ ବାନ୍ଧିଅଛ

ମୋହନ ବନ୍ଧନେ !

ତୁମେ ଏକା ଏ ମାଟିର ବିଜୟ ଗୌରବେ

ହସିଅଛ ପ୍ରାଣପୂରା ହାସ !

ତୁମେ ଏକା ଏ ମାଟିର ଅତୁଳ ଐଶ୍ୱର୍ଯ୍ୟେ

ପାଇଅଛ ପରମ ଉଲ୍ଲାସ !

ଏ ମାଟିର ଦୁଃଖେ ତୁମେ କାନ୍ଦିଅଛ

ନୟନର ପ୍ରତି ଅଶ୍ରୁଧାରେ

ବିପ୍ଳବର ନିଆଁ ହୁଳା ଦିଗ୍‌ବିଦ୍‌ଗେ ଜାଳି !

ଏ ମାଟିର ସୀମାହୀନ ବିପଦରେ

ଏ ମାଟି କାନ୍ଦିଚି ଯେବେ ଅସହାୟ ଶିଶୁପରି

ପାରିନ ପାରିନ ରହି ଦ୍ୱାର ରୁଦ୍ଧକରି ତୁମେ

ନିଜର ସମସ୍ତଟିକ ଦେଇଅଛ ଅକାତରେ

ସଂଗ୍ରାମର ଅଗ୍ନିକୁଣ୍ଡେ ଢାଳି !!

ତୁମେ ସେହି ସୁନ୍ଦର ଶହୀଦ୍‍

ତୁମେ ସେହି ବୀର ଅରିନ୍ଦମ

ଜୀବନରୁ ବଳି ଆହୁରି ଜୀବନ୍ତ ତୁମେ

ଏଇ ପୃଥିବୀରେ ନାଇଁ କେହି ତୁମ ସରିସମ !

ହେ ବୀର ଶହୀଦ୍‍!

ସତ୍ୟଲାଗି ମୁକ୍ତିଲାଗି ପୃଥିବୀର ଜୀବନ୍ତ ବିପ୍ଳବ ତୁମେ !

ତୁମେ ହେ ରହିବ ବଞ୍ଚି

ସୂର୍ଯ୍ୟଠାରୁ ବଳି ହୋଇ ଆଉ ତେଜୀୟାନ

ଝଡ଼ପରି ଚତୁର୍ଦ୍ଦିଗେ ଯାଇଛ ସଞ୍ଚରି

ଅଗ୍ନିପରି ଦେଇଅଛ ବୁଣି

ଜୀବନର ସ୍ୱର୍ଣ୍ଣ କଣା ଦିଶି ଦିଶି ଭରି !

ପ୍ରଳୟ ସମୁଦ୍ର ପରି ଅଥୟ ଚଞ୍ଚଳ ତୁମେ

ରଚିବାକୁ ଧ୍ୱଂସ ଯହିଁ ଅତ୍ୟାଚାର ଅନାଚାର ଯାଇଛି ପ୍ରସରି ।

ତୁମ ମାଂସ ରକ୍ତ ହାଡ଼ ଆତ୍ମା

ଏ ମାଟିର ସକଳରେ ଯାଇଛି ସଞ୍ଚରି

ହେ ଜୀବନ୍ତ ବିପ୍ଳବ ! ବିଦ୍ରୋହ ! ତୁମର ଯେ ଶେଷ

ତୁମକୁ କରିଛି ଆଜି ଅନନ୍ତ ଅଶେଷ !

ତୁମେ ଆଜି ନୁହଁ କେଉଁ କ୍ଷୁଦ୍ର କୁଟୀରର ଧନ

ତୁମେ ଆଜି ବିରାଟ ବିଶ୍ୱର ଅସୀମ ଓ ଅପୂର୍ବ ଉନ୍ମେଷ ।

ହେ ଶହୀଦ ! ହେ ଜୀବନ୍ତ ସନାତନ ବିପ୍ଳବ ! ବିଦ୍ରୋହ !

ଏଇ ମହା ବସୁଧାର

ମତେ ଆଜି କର ହେ କଲ୍ୟାଣ

ଚାଲେ କାଟି ଧରଣୀର ଘନ ଅନ୍ଧକାର

ଶେଷ ମୋର ହୋଇଯାଉ ଅଶେଷ ଭିତରେ

ଚିରଦିନ ଏ କାମନା କରେ ।

•••

 

ଅସମାପ୍ତ

 

ସତ୍ୟାଗ୍ରହର ସଂଗ୍ରାମେ ଥିଲା ସୈନିକ ସିଏ ଜଣେ

ଜନମିଥିଲା ସେ କେଉଁ ପଲ୍ଲୀର ନିଃସ୍ୱ କୁଟୀର ଜଣେ ।

ବଦନେ ତାହାର ସତ୍ୟର ଆଭା ପ୍ରାଚୀ-ସିନ୍ଦୂରା ପରି

ପ୍ରତି ଧମନୀରେ ଉଷ୍ମ ଶୋଣିତ ନାଚୁଥିଲା କେତେ ଭଳି;

ମୁମୂର୍ଷୁ ଏଇ ଜାତିର ବକ୍ଷେ ଦେବାକୁ ସଞ୍ଜୀବନୀ

ସବୁ ଗୌରବୁ ବଡ଼ ଗୌରବ ଦିବାନିଶି ଥିଲା ମଣି

ପାଠ ପଢ଼ୁଥିଲା ଛାଡ଼ିଦେଲା ପାଠ, ସଂଗ୍ରାମେ ଗଲା ମିଶି

କି ମହାଆଲୋକ ନୟନେ ତାହାର ନିମିଷକେ ଗଲା ଦିଶି ।

ସେ ପାଠ ପଢ଼ିଲେ ଗୋଲାମ ହେବାକୁ ବକ୍ଷେ ବାସନା ଜାଗେ,

ଯେ ପାଠ ପଢ଼ିଲେ ଜାତିର ଦୁଃଖ ଦିଶେନା ନୟନ ଆଗେ,

ସେ ପାଠ ପଢ଼ିଲେ କୋଟି ଦୁଃସ୍ଥର ଶିରେ କରି ପଦାଘାତ,

ବଡ଼ ହେବାପାଇଁ ଦୁର୍ବାର ତେଜେ ଆଶା ହୁଏ ସଂଜାତ,–

ସେ ପାଠ ନ ପଢ଼ି ମୂର୍ଖ ରହିବା ଶତଗୁଣେ ନିକି ଭଲ ?

ସେଇ ପାଠ, ପାଠ, ଯହିଁରେ ହୃଦୟ ବିକଶଇ ମଣିଷର !

ଗାନ୍ଧିର ବାଣୀ ଶୁଣି ବୁକୁତଳ ହେଲା କିବା ଉନ୍ମନ

ଖଦଡ଼ ପିନ୍ଧେ ସୂତାକାଟେ ବହି ନିଷ୍ଠା ଭୀଷଣତମ

ସପ୍ତାହେ ଥରେ ଗାଆଁ ସଫା କରେ ବିରଚି ତରୁଣଦଳ,

ସତ୍ୟାଗ୍ରହୀର ସକଳ ନିୟମ ମାନିଥାଏ ବରାବର ।

ସତ୍ୟାଗ୍ରହର ସଂଗ୍ରାମେ ଥିଲା ସୈନିକ ସିଏ ଜଣେ,

ଜନମି ଥିଲେ ସେ କେଉଁ ପଲ୍ଲୀର ନିଃସ୍ୱ କୁଟୀର କଣେ ।

କେତେ ଯେ ଦୁଃଖ ଅଭାବ କଷ୍ଟ ଭୋଗିଛି ଜୀବନେ ତା’ର

ପଥର ଶୁଣିଲେ କାନ୍ଦିଉଠିବ ବହିବ ଅଶ୍ରୁଧାର !

କେବେ ଖାଏ କେବେ ଉପାସ ଭୋକରେ କରଇ ଜାତିର ସେବା

ହିମାଚଳ ସମ ଅସୀମ ଧୈର୍ଯ୍ୟ ଦେଖିଛି ତାହାର କେ’ବା;

ମନେପଡ଼େ ଯେବେ ସ୍ୱରାଜ ଭବନ ପୁଲିସ ଜବତ କଲା

ଛାଡ଼ିଲାନି ସେହୁ ଜାତୀୟ ପତାକା ଜାତି ଗୌରବ ଭରା ।

ଲାଠି ପରେ ଲାଠି ପିଠିରେ ତାହାର ନିର୍ମମେ ହେଲା ମାଡ଼,

ବନ୍ଧୁକ ଡିହେ ପ୍ରତିଅଙ୍ଗୁ ତା’ ବହିଲା ଶୋଣିତ ଧାର ।

ଜାତିର ପତାକା ବୁକେ ଯାକିଧରି ତଳେ ଯାଇଥାଏ ପଡ଼ି

ମାଆ ମାଆ ମାଆ ଡାକୁଥାଏ ଖାଲି ଆତୁରେ ଘଡ଼ିକି ଘଡ଼ି;

ଯୋତା ଗୋଡ଼େ ତା’ରେ ପୁଲିସ୍‌କିଭଳି ଦେଉଥାଏ ଆହା ଦଳି,

ଚାହିଁ କେ’ପାରିବ ରକ୍ତ ମାଉଁସ ଦିହ ଏ ଧରାରେ ଧରି ?

ସ୍ତମ୍ଭିତ ହେଲା ଉପରେ ଆକାଶ ନିମ୍ନେ ବସୁନ୍ଧରା

ସୋରା ସୋରା ନୋଳା ଫାଟି ଯାଇଅଛି ଚାହିଁ ହେଉନାଇଁ ପରା ।

ଜାତୀୟ ପତାକା କରେ ଧରି ଧରି ଦରମରା ହୋଇ ସିଏ

ସେ’ଦିନ ଚାଲିଲା କଏଦୀ ଖାନାକୁ ନ ଦେଖିଛି କହ କିଏ ?

‘ମାରିଦିଅ ମୋତେ ଦଳିଦିଅ ମୋତେ ନିଃଶେଷ ମୋତେ କର

ସହି ପାରିବିନି ଜାତିର ବୁକୁରେ ବାଜିଲେ ବଜ୍ର-ଶର’;

କହି ଚାଲିଥାଏ ବନ୍ଦୀଶାଳାରେ ସୈନିକ ସିଏ ଜଣେ

ଥପ ଥପ ଥପ ଶୋଣିତ ଅଙ୍ଗୁ ଝରୁଥାଏ ପ୍ରତିକ୍ଷଣେ;

ସୁଦୂର ପାଟନା ଶିବିର କାରାରୁ ଯେଦିନ ଆସିଲା ଫେରି

ଶୀର୍ଣ୍ଣ ତାହାର ପ୍ରତି ଅବୟବ, ମୁହଁ ପଡ଼ିଅଛି ନେଳି !

ଦୁଇ ମାସ ଧରି ଭୋଗି ଭୋଗି ଖାଲି ରକ୍ତର ଆମାଶୟ

କଣ୍ଟା ଖାଲି ତା’ ଦେହେ ଦୋହଲୁଚି, ହେଲେ ନାଇଁ ମନେ ଭୟ,

ଦରିଦ୍ର ତା’ର କୁଟୀରେ ଦେଖିଲା ପତ୍ନୀ ତା’ ରୋଗ-ଶେଯେ

ଖାଦ୍ୟ ମିଳିନି, ଓଷଦ ମିଳିନି ଯନ୍ତ୍ରଣା ପାଏ ସେ’ ଯେ;

ଦୁଇଟି ଅଶ୍ରୁ ପତ୍ନୀର ଗଲା ନୟନ ଯୁଗଳୁ ଝରି

‘ନୟନେ ଯାହା ମୁଁ ଦେଖିଲି ଟିକିଏ ନିମିଷକେ ଯିବି ମରି’;

ଏତିକି କହି ତା’ ଦୁର୍ବଳ ଦେହେ ଆଉଜି ପଡ଼ିଲା ବାରେ

ସେତିକିରେ ତା’ର ଅନ୍ତିମ ବାୟୁ ଉଡ଼ିଗଲା ପରପାରେ !

ବୀର ସୈନିକ ବୀର ପରି ତାରେ ଚାହିଁଲା ଟିକିଏ ଥରେ

ଗରଜି କହିଲା ପତ୍ନୀର ମୃତ୍ୟୁ-ଶେଯେ କି ଦମ୍ଭଭରେ;

‘‘ଦୀନ ଦୁଃଖୀର ଯାତନା ବୁଝେନା ଯେ ଦେଶର ସରକାର

ସରକାର ନୁହେଁ ସେକି ଜୀବନ୍ତ ଭୀଷଣ ଅତ୍ୟାଚାର ?

ଜାଉ, କାଞ୍ଜି ବା ଖୁଦୁପିତା ଖାଇ ଜୀବନ୍‌ମୃତ ଯେ ଜାତି

ମଣିଷ ବକ୍ଷ ବହି ତରଳୁନି କି ଭଳି ଶାସକ ଛାତି ?

କୋଟି ପରଜାର ଲୁହ ନିଶ୍ୱାସ ଉଷ୍ମ ଶୋଣିତ ଧାର

ସମ୍ଭାଳି ନେବ କେଉଁ ସରକାର ଘେନି କେଉଁ ହତିଆର ?

ସମୟ ଆସିବ ସମୟ ଆସିବ ହେବ ୟାର ଅବସାନ

ବେଶି ଦିନ ନାଇଁ ରହେ ଅନ୍ୟାୟ ମାଡ଼ି ତା’ର ଆସ୍ଥାନ ।’’

ଘନେଇ ଆସିଲା ବିପ୍ଳବ ଯେବେ ଆଇନ ଭଙ୍ଗଲାଗି

ବୀର ବିକ୍ରମେ ବୀର ସୈନିକ ଉଠିଲା ଦମ୍ଭେ ଜାଗି,

ହଜାର ହଜାର ଜନତା ଆଗରେ ଦେଖାଇ ସିଂହଠାଣି

ଆଗ୍ନେୟ ଗିରି ଅଗ୍ନି ପରାଏ ବର୍ଷିଲା ବୀରବାଣୀ

‘ହିମାଦ୍ରି ଠାରୁ କୁମାରିକା ଯାଏ ସମଗ୍ର ଭାରତର

ଯେତେ ଯହିଁ ଅଛ ପୁରୁଷ ଓ ନାରୀ ଭାରତୀୟ ଶୋଣିତର

ବ୍ରିଟିଶ ଶାସନ ପାଦତଳେ ଦଳି କରହେ ଅଗ୍ରଗତି

ନୂତନ ଶାସନ ପ୍ରତିଷ୍ଠା କରି ଚାଲ ଅବିଚଳ ମତି

 

 

ତୋପ ବନ୍ଧୁକ ଗୁଳି ଗୋଳା ବୋମା ସ୍ତବ୍‌ଧେ ରହିବ ଚାହିଁ

ଅତ୍ୟାଚାରିତ ଜାତି ଯେତେବେଳେ ଚେଇଁବ ତା’ ଦାବି ପାଇଁ,

କମ୍ପିତ ହେବ ନିଖିଳ ମେଦିନୀ ସ୍ତମ୍ଭିତ ହେବ ନଭ

ଫେରି ନ ପାଇବା ଯାଏ ଜାତି ତା’ର ଜୀବନର ଗଉରବ;

ଆମେ ନୁହଁ ଦାସ- ମଡ଼ା ମୁର୍ଦ୍ଦାର, ବଞ୍ଚିଛି ଆମ ତଳେ

ଏ ମହାଜାତିର ବିରାଟ ଜୀବନ କୋଟି ସଂପଦ ଭରେ,

ତାହାରି ବିରାଟ ବିକାଶ ପାଇଁ କି ସକଳ ଭ୍ରାନ୍ତି ଛାଡ଼ି

ଯୁଝିବାକୁ ହେବ, ହିମାଦ୍ରିସମ ବନ୍ଧନ ଆସୁ ମାଡ଼ି ।’

ସେ ଦିନ ପୁଲିସ ନିଷ୍ଠୁରେ ବାନ୍ଧି ନେଲା ଯେ ବନ୍ଦୀଶାଳେ

ସେଇ ବୀର ହିୟା ଭିତରୁ ଅଗ୍ନି ଉଠିଲା ଅସମ୍ଭାଳେ;

‘ବାନ୍ଧହେ ମୋତେ ଟିକି ଟିକି କରି କାଟିଦିଅ ମୋତେ ଭାଇ

ମୋ ଭିତରେ ଯେଉଁ ଜୀବନ ଜଳୁଛି ଲିଭାଇ ପାଇବ ନାଇଁ ।’

ଜାତି ସୈନିକ ଜାତି ପାଇଁ ତା’ର ଜୀବନ ସାରାଟି ଲଢ଼ି

ନିଃସ୍ୱ ତାହାର ଭଙ୍ଗା ଚାଳିରେ ମୃତ୍ୟୁ-ଶଯ୍ୟାରେ ପଡ଼ି,

ଊର୍ଦ୍ଧ୍ୱେ ଚାହିଁଛି, ଖର ନିଶ୍ୱାସ ଛାଡ଼ିଅଛି ଘନ ଘନ

ପାଖେ ନାଇଁ ତା’ର ଜୀବନର ପ୍ରିୟା-କେହି ଆପଣାର ଜନ ।

କେତେ ଲାଠି ମାଡ଼ ବନ୍ଧୁକ ଡିହ କେତେ କାରାବାସ ସହି

ଶେଷ ନିଶ୍ୱାସ ଛାଡ଼ି ଅଛି ଏଇ ଦୂର ପଲ୍ଲୀରେ ରହି;

କେହି ଜାଣିନାଇଁ ଦୂର ପଲ୍ଲୀରେ ନୀରବେ ବୁଜିଛି ଆଖି

ଶେଷ ବେଳେ କିବା ଗଭୀର ବାସନା ବକ୍ଷେ ତା ଅଛି ଜାଗି !

ଜନନୀ ମରିଛି, ପତ୍ନୀ ମରିଚି, ଅଭାବ ଘେରିଚି ତାରେ,

ରୋଗର ଦାଉରେ ବଞ୍ଚିବା ଆଶା ରଖିନାଇଁ ହେଲେ ଗାରେ;

ସମସ୍ତ ଦେଇ, ଚାହିଁଛି ସେ ତା’ର ନିଃସ୍ୱ ଜୀବନ ଶେଷେ

ଦେଖନ୍ତା ଟିକେ ତା’ ପ୍ରିୟ ମାଟିରେ ସ୍ୱାଧୀନ ଶୁଭ୍ର ବେଶେ;

ଦେଖନ୍ତା ତା’ର ସବୁ ବଞ୍ଚିଛି କିଛି ଯାଇନାଇଁ ମରି

ଲକ୍ଷ ଜୀବନ କଅଁଳି ଉଠୁଛି କିବା ବସନ୍ତ କଳି ।

ପାହାଡ଼ ହସୁଛି ଆକାଶ ହସୁଛି, ହସୁଛି ପଲ୍ଲୀଶତ

ହସୁଛି ତାହାର ଅନ୍ତର ଭରି ସବୁ ବେଦନାର କ୍ଷତ ।।

ମୃତ୍ୟୁ ହସୁଛି ଅମୃତ ହାସ କୋଳକୁ ନେଉଛି ଟାଣି

ମୃତ୍ୟୁ ଭିତରେ ଶୁଣୁଛି ତା’ଜାତି ଅମୃତଭରା ବାଣୀ;

ଅସୀମ ଶୂନ୍ୟେ ଲିଭି ସେ ଯାଉଛି ରକ୍ତ-ବଉଦ ପରି,

ଜାତିର ଉଜଳ ସପନ ଦେଖୁଛି ସୀମାହୀନ ଯୁଗ ଧରି;

•••

 

ଗୋଟିଏ ପଉଷ ସନ୍ଧ୍ୟା

 

ଆମ ଗାଁ ଦୀନାସ୍ୱାଇଁ ନଇଁ ନଇଁ କାଟୁଅଛି ଧାନ,

ବେଳେ ବେଳେ ହିଡ଼ମୁଣ୍ଡେ ବସୁଅଛି କ୍ଳାନ୍ତି ଯେବେ ଆସେ,

ମୁଣ୍ଡରେ ବାନ୍ଧିଛି ଠେକା ହାତେ ତା’ର ଧରିଅଛି ଦାଆ

ବଦନେ ଆନନ୍ଦ ରେଖା ବେଳେ ବେଳେ ଉଠୁଅଛି ଫୁଟି;

ବୁକୁର ଶୋଣିତ ଦେଇ କରିଛି ଯେ ଏ ଫସଲ ଗୋଟି

କେମନ୍ତେ ନାଚିବ ନାଇଁ ମନ ତା’ର ମୋହନ ଉଲ୍ଲାସେ ?

ଭାରିଜାଟି ତା’ର ଭାତ ଧରି ଆସେ ତାହା ପାଇଁ

ଖଣ୍ଡାହଣା ଗିରି ଚୂଳେ ବୁଡ଼ିଯାଏ ଦିନାନ୍ତ ତପନ

ଚାରିଆଡ଼େ ଖେଳିଯାଏ ଡାଆଣିଆ ଖରା,

ସୁନାର ରାଇଜ କିଏ ଗଢ଼ି ଦେଲା ପରି

ଦିଶେ ଏଇ ବିଲ ବନ ପାହାଡ଼ ପ୍ରାନ୍ତର !!

ଗାଇଜଗା ପିଲାମାନେ ନେଉଛନ୍ତି ଗୋଠ ଗାଆଁକୁ ଫେରାଇ

କଅଁଳା ବାଛୁରୀଟିଏ

ବଣ ବୁଦା ଲଟା ତଳେ କାହିଁ

ଅସଜରେ ରହିଅଛି ପାଉ ନାଇଁ

ଆସିବାକୁ ବାଟ,

ଦି’ଜଣ ଗଉଡ଼ ପିଲା

ଲଟା ଭାଂଗି ବାଟ କରି କରି

ହାତେ ଧରି ଆଣୁଛନ୍ତି

କଅଁଳା ବାଛୁରୀ;

ବାହାରକୁ ଆସି ସେହୁ

ଫକ୍‌ ଫକ୍‌ ଡ଼େଇଁ

ଯାଏ ତା’ର ମା ସଂଗେ

ମେଁ ମେଁ କରି;

ମୁକୁଳା ଜୀବନ ଯହିଁ

ତହିଁ ସିନା ଐଶ୍ୱର୍ଯ୍ୟର

ଅନନ୍ତ ସଂପଦ !!

ମୁଣ୍ଡ ବହି କାଠ ଗୋଛା ଦୁଇଟି ମାଇପି

ଯାଉଛନ୍ତି ଗୃହେ ଫେରି, ଝାଳ ଗମଗମ

ସର୍ବାଙ୍ଗୁ ଯାଉଛି ଝରି । କେଉଁ ଗଛ ମୂଳେ

କାଠ ଗୋଛା ଥୋଇଦେଇ ନିଅନ୍ତି ବିଶ୍ରାମ ।

ସକାଳୁ ସେ ଖୁଦ ଯାଉ ଖାଇଥିଲେ କ’ଣ

ଏବେ ଜଳୁଥିବ ପେଟ । ଘରେ ଗଲେ ଯାଇ

ରାନ୍ଧିବାଢ଼ି ଖାଇବେ ସେ । ଗାଆଁ ମୁହଁ ହେଉ

ଟିକିଏ ସାନ୍ତ୍ୱନା ଆସେ । ହାଡ଼ଭଙ୍ଗା କାମ କରି କରି

ଦିନମାନ ବିତିଯାଏ । ଏମାନଙ୍କ ପରି-

ମଣିଷର ମୂଲ୍ୟ ନାଇଁ ଏ ଧରଣୀ ତଳେ ?

ଚାହାଁରେ ଜଗତ ଚାହାଁ

ଏ ଶ୍ରମିକ ଜୀବନର ପ୍ରତିବିନ୍ଦୁ ଘର୍ମ ତଳେ ତଳେ-

ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଯେହ୍ନେ ରହିଛି ସଞ୍ଚିତ !

ହେ ଜଗତ ! ଏମାନଙ୍କୁ ଦିଅ ତୁହିଁ ବିପୁଳ ସମ୍ମାନ

ଏମାନଙ୍କ ପାଇଁ ସିନା ପୃଥିବୀରେ ସୁନାର ଫସଲ

ଏମାନଙ୍କ ପାଇଁ ସିନା ପୃଥିବୀର କଣ୍ଠେ ଜାଗେ ଗାନ !

ଆସ୍ତେ ଆସ୍ତେ ମାଡ଼ି ଆସେ ତରଳ ତିମିର,

ଦ୍ୱିତୀୟାର କ୍ଷୀଣ ଚନ୍ଦ୍ର ରେଖା

ଉଜ୍ଜଳୁ ଉଜ୍ଜଳତର ଦିଶି ଦିଶି ଆସେ ।

ଦୂରେ କେଉଁ ଧାନ କିଆରିରେ

କୃଷକ ବାଳକ ଜଣେ ଗାଉଅଛି ଗୀତ,

ବସି ତା’ର ଭାଡ଼ି ତଳେ ।

ଠାଏଁ ଠାଏଁ ନିଆଁ ଜାଳି

ଚାରି ପାଞ୍ଚଜଣ ବସି ହେଉଛନ୍ତି କଥା,

ଜୀବନର ସୁଖ ଦୁଃଖ ଭଲ ମନ୍ଦ ଆଦି;

ଧ୍ୟାନମଗ୍ନ ଋଷିପରି ପାହାଡ଼ଟି ହୋଇଅଛି ଠିଆ ।

ଏସବୁ ଭିତରେ ବୁଲି ଏବେ ମୁହିଁ ଫେରୁଛି କୁଟୀରେ ।

 

ଇଚ୍ଛା ହୁଏ ପ୍ରତି ମୁହୂର୍ତ୍ତରେ

ଏ ରାଇଜେ ବୁଲୁଥାନ୍ତି

ଦେଖୁଥାନ୍ତି ଜୀବନର ଅହମିକା ଆଡ଼ମ୍ୱର

ନାଇଁ ଏଠି-

ନାଇଁ ଏଠି ହେବାପାଇଁ ବଡ଼

ସଭିଙ୍କୁ ସଂସାରେ ମଣି ନୀଚ କ୍ଷୁଦ୍ରତର ।

କର୍ମ ଆଉ ଆନନ୍ଦର ଏ’ ଯେ ଲୀଳାଭୂଇଁ

ଏହାରି ଭିତରେ ମୋର ଜୀବନର

ପ୍ରତି ଦଣ୍ଡ, ଲିତା ହେଲେ ଯାଉଥାନ୍ତା ବୋହି ।।

କୃଷକ ବାଳକପରି ଦିନ ଶେଷେ ଗୀତ ଗାଇ ଗାଇ

ଗୋଟିଏ ନିମେଷ ମୋର ବିତିଲା ତ ନାଇଁ ।।

•••

 

ଛାୟାର ପ୍ରେମ

 

ତୁମେ ତ କହିଥିଲ ସେନେହ ଦେଇ ମୋତେ ସୋହାଗେ କରିବାକୁ ବରଣ

ତୁମେ ତ କହିଥିଲ ତୁମକୁ ନ ପାଇଲେ ଜୀବନେ ବରିନେବି ମରଣ

ତୁମେ ତ କହିଥିଲ ତୁମକୁ ଦୂରେ ରଖି

ଗୋଟିଏ ନିମେଷ ମୁଁ ବଞ୍ଚିପାରିବି କି ?

ତୁମରି ବିନୁ ମୋର ନିଃସ୍ୱ ଜୀବନରେ କି ଅବା ଅଛି ଆଉ କାରଣ ?

ତୁମେ ତ କହିଥିଲ ସେନେହ ଦେଇ ମୋତେ ସୋହାଗେ କରିବାକୁ ବରଣ ।

ତୁମେ ତ ଦେଇଥିଲ ପ୍ରାଣର ପ୍ରତିଶ୍ରୁତି ଓଠରେ ହସଟିଏ ଖେଳାଇ

ତୁମେ ତ କହିଥିଲ ଯିବିନି କେବେ ଭୁଲି ଖଞ୍ଜରୀଟ ଆଖି ବୁଲାଇ;

ସବୁ କି ଚାଲିଗଲା ଦୂରରୁ ବହୁଦୂରେ ?

ରହିଲ ତୁମେ ସତେ ଅଜଣା କେଉଁ ପୁରେ ?

ତୁମରି ପାଇଁ କିଆଁ ବସିଛି ମୋ କୁଟୀରେ ନିଇତି ମଥାଟି ମୋ ଘୂରାଇ ?

ତୁମେ ତ ଦେଇଥିଲ ପ୍ରାଣର ପ୍ରତିଶ୍ରୁତି ଓଠରେ ହସଟିଏ ଖେଳାଇ;

ପାଶୋରି ଦେଇ ମୋତେ ଚାଲିଲ କେଉଁ ପଥେ ଅଥବା ରହିଛ ମୋ ପାଇଁକି ?

ମୋହରି ପାଇଁ ତୁମ ନୟନୁ ଝର ଝର ଲୋତକ ନିତି ଝରୁଥାଇ କି ?

କିଏ ସେ ଦେଲା ବାଧା ତୁମରି ପଥେ ପଥେ

ଏଡ଼ାଇ ପାରୁନାହିଁ ଚେଷ୍ଟା କରି ସତେ ?

ଧରଣୀ ପଥ ପରେ ଏଡ଼େକ ସହଜରେ କିଏ ସେ ପାରେ ଚାଲି ଯାଇକି ?

ପାଶୋରି ଦେଇ ମୋତେ ଚାଲିଲ କେଉଁ ପଥେ ଅଥବା ରହିଛ ମୋ ପାଇଁ କି ?

ତୁମରି ଓଠର ସେ ମୋହନ ବାଣୀଟିକ ମିଥ୍ୟା ହୋଇ ନାଇଁ ପାରିବ

ମୁଁ ଜାଣେ ତୁମେ ଯାହା ଦେଇଚ ଥରେ କହି ତାହାହିଁ କରିବ ତ କରିବ

ମୁଁ ଜାଣେ ତୁମେ କେବେ ହେବନି ବିଚଳିତ

ବିରାଟ ଉପାଦାନେ ତୁମେ ଯେ ବିରଚିତ,

ମୋ ପାଇଁ ତୁମେ ଫୁଟିରହିଚ ସେ କେଉଁଠି; ଗନ୍ଧ କେବେ ଆସି ଢାଳିବ ?

ତୁମରି ଓଠର ସେ ମୋହନ ବାଣୀଟିକ ମିଥ୍ୟା ହୋଇନାଇଁ ପାରିବ,

ଜାଣିଛି ଜାଣିଛି ମୁଁ କରିଛି ଅନୁଭବ ତୁମରି ଅନ୍ତର ଗୋଟିକ

କିଭଳି ସୁନ୍ଦର କିଭଳି ନିର୍ମଳ କି ଅବା ସ୍ୱର୍ଗର ସ୍ଫଟିକ !

ତହିଁରେ ଆବିଳତା ନାଇଁ ତ ହେଲେ ଧାନେ

କି ଭଳି ବିଶ୍ୱାସ ଯିବିନି ପ୍ରାଣେ ପ୍ରାଣେ ?

ତୁମରି ଅନ୍ତର ମୋହରି ଯୁକ୍ତ ହେବ ଦିନେ ସଠିକ;

ଜାଣିଛି ଜାଣିଛି ମୁଁ କରିଛି ଅନୁଭବ ତୁମରି ଅନ୍ତର ଗୋଟିକ;

ଯେ ଦିନ ସଂଗ୍ରାମେ ହୋଇ ମୁଁ ନତଜାନୁ ନୀରବେ ଏକା ପଡ଼ି ରହିଲି

ପାରିବିନାଇଁ ଉଠି, ଜୀବନ ଶେଷ ଏଠି, ବିକଳ କଣ୍ଠରେ କହିଲି;

ତୁମେ ଗୋ ସାହସିନୀ ତୁମେ ଗୋ ବୀରବାଳା

ଅଗ୍ନି ଜାଳି ଦେଲ ଫିଙ୍ଗି ମୋର ଭାରା

ତାହାରି ତେଜେ ତେଜେ ଉଠି ମୁଁ ଠିଆହେଲି ସେ କଥା ମନେପଡ଼େ ଛଇଳି !

ଯେ ଦିନ ସଂଗ୍ରାମେ ହୋଇ ମୁଁ ନତଜାନୁ ନୀରବେ ଏକା ପଡ଼ି ରହିଲି !

ମୁଁ ଯେବେ ଠିଆହୋଇ ପାରିଛି ଧରଣୀରେ କାହାରେ ନାଇଁ କରି ପରୁଆ

ମୁଁ ଯେବେ ପାରିଅଛି ଫୁଟାଇ ଜୀବନରେ ମଲ୍ଲୀ ମାଧବୀ ବା ମରୁଆ,

ତୁମରି ହାତର ସେ ଟିକକ ତୂଳୀ ଲାଗି

ମୋହରି ଭିତରେ ଯେ ଜୀବନ ଅଛି ଜାଗି;

ମାନିବିନାଇଁ ଯେବେ ଜନମଯାକେ ହେବି ତୁମରି ପାଖେ ନିକି ଧାରୁଆ !

ମୁଁ ଯେବେ ଠିଆହୋଇ ପାରିଛି ଧରଣୀରେ କାହାରେ ନାଇଁ କରି ପରୁଆ;

ସେ ଦିନୁ କେତେ ଦିନ ହେଲାଣି ଏବେ ଆସି ଜୀବନେ କେତେ ବାଧା ପାଇଛି,

ସବୁକୁ ଆଡ଼େଇ ମୁଁ ଅସୀମ ଦର୍ପରେ ମୋହରି ପଥେ ପଥେ ଯାଇଛି;

ଆସିନି ହଟି ଆଉ ଚାଲିଛି ଆଗେ ଆଗେ

ଯେ ଦୀପ ଜାଳିଦେଲ ପୂଣ୍ୟ ଅନୁରାଗେ,

ଲିଭିନି ଲିଭିନି ସେ ମୋ ପଥ ଉଜଳାଇ ମୋହର ପାଖେ ପାଖେ ରହିଛି

ସେ ଦିନୁ କେତେ ଦିନ ହେଲାଣି ଏବେ ଆସି ଜୀବନେ କେତେ ବାଧା ପାଇଛି

ତୁମେ ତ କହିଥିଲ କାହିଁକି ଆସୁନାହଁ ? ତୁମରେ ରହିଛି ମୁଁ ଚାହିଁ ତ,

ତୁମେ ଗୋ ଆସିଗଲେ ଚାଲିବ ଜଳଧିରେ ଆମରି ଯୁଗଳ ଏ ବୋଇତ;

ସେନେହ ଦବାନବା ହୃଦୟେ ହୃଦ ଢ଼ାଳି,

ଜଣକୁ ଜଣେ ନାଇଁ ପାରିବା ହେଳେ ଛାଡ଼ି,

ଏ ଟିକକରେ କିବା ପ୍ରାଣର ମଧୁଶିରୀ ଫୁଟଇ ନୁହେଁ କେବେ କହିଁ ତ

ତୁମେ ତ କହିଥିଲ କାହିଁକି ଆସୁନାହିଁ ତୁମରେ ରହିଛି ମୁଁ ଚାହିଁ ତ;

ଜୀବନେ ସାଥୀକରି କାହାରେ ନେଇନାଇଁ, କାହାରେ ନେଇନାଇଁ ପାରିବି

ତୁମକୁ ଚାହିଁ ଚାହିଁ ଜୀବନ ଚାଲିଯାଉ ଦୁଃଖ ତିଳେ ନାଇଁ କରିବି ।

ସଁପ ମୋହଠାରେ ହୃଦୟ ଦେହମନ

ମୋ ପାଇଁ ସପନ ଯେ ଦେଖୁଛି ଅନୁଷଣ,

ତାହାକୁ ନିଷ୍ଠୁରେ ତିଆଗି କିବା ଶିରୀ ଅଧିକ ଏ ପରାଣେ ଭରିବି ?

ଜୀବନେ ସାଥୀକରି କାହାରେ ନେଇନାଇଁ, କାହାରେ ନେଇନାଇଁ ପାରିବି;

କେତେ ଯେ ବର-ବଧୂ ନାହାନ୍ତି ଧରଣୀରେ ଅଧିକ କିଏ ମୋତେ ଦିଶୁନି;

କାହାର ବୁକୁତଳ ମୋ ପାଇଁ ଉତ୍‌ଥଳ ହୋଇବ ମନେ ଲବେ ଆସୁନି;

ମୋ ପ୍ରାଣ-ତନ୍ତ୍ରୀରେ କାହାର ଅଙ୍ଗୁଳି-

ପରଶେ ସଙ୍ଗୀତ ଉଠିବ ଉଚ୍ଛୁଳି;

ତୁମରିବିନୁ କିଏ ପାରିବ ନାଇଁ ବୋଲି କେତେ ମୁଁ କାରେ କହି ବସୁନି

କେତେ ଯେ ବର-ବଧୂ ନାହାନ୍ତି ଧରଣୀରେ ଅଧିକ କିଏ ମୋତେ ଦିଶୁନି;

କୁସୁମ ଫୁଟାଇ କେ’ ମୋହରି ପଥେ ପଥେ ମୋହରି ତୁଲେ ନିତି ଚାଲିବ

ନିଜର କରି କିଏ ମୋହନ ଗଉରବ ନିଃସ୍ୱ ଏ ଜୀବନେ ଭରିବ;

ଜୀବନେ ଲାଗିଥିଲେ ବ୍ୟଥା ଓ ଅପମାନ

କିଏସେ ପୋଛିଦେବ ପକାଇ କୋଟି ରାଣ ?

କା’ଓଠ ପଦେ କଥା ଏ ମରୁସଇକତେ ସବୁଜ ସୁନ୍ଦର କରିବ;

କୁସୁମ ଫୁଟାଇ କେ’ମୋହରି ପଥେ ପଥେ ମୋହରି ତୁଲେ ନିତି ଚାଲିବ ?

ତୁମକୁ ଡ଼ାକିବିନି ? ତୁମକୁ ଖୋଜିବିନି ତୁମକୁ ରହିବିନି ତକାଇ ?

ମୋହର ହୋଇ ଅଛି କି ମଧୁ ସଂପଦ ତୁମକୁ ତଳେ ଦେଲେ ପକାଇ;

ଅମୀର ହୋଇ ମୁହିଁ ଧରାରେ କାଟେ କାଳ,

ଫକୀର ପରି ବୁଲେ ପଛେ ଗୋ ଚାରିଆଡ଼;

ମୁଁ ଚିରହତଭାଗା ନିଖିଳ ଧରଣୀରେ ନାଇଁ ପାଇଲେ ତୁମ ଦେଖାହିଁ;

ତୁମକୁ ଡ଼ାକିବିନି ତୁମକୁ ଖୋଜିବିନି ତୁମକୁ ରହିବିନି ତକାଇ ?

ବହୁତ ଦିନ ପରେ ଦିନେକ ସଂଧ୍ୟାରେ ଚାହିଁଛି ଅଂଗନେ ମୋହରି

ନିବିଡ଼ ଅନ୍ଧାରେ ମୁହଁକୁ ମୁହଁ ନାଇଁ ଦିଶୁଛି ହେଲେ ପରା କାହାରି;

କୃଷ୍ଣ ବାରିଦରେ ଛନ୍ନ ଯେ’ଆକାଶ

ପିଟୁଛି ଚାରିଆଡ଼ୁ ପ୍ରଳୟ ଯେ’ବତାଶ;

ବସିଛି ଏକା ଏକା ଥଣ୍ଡା ପବନରେ ଯାଉଛି ଦିହଟି ମୋ ଶିହରି,

ବହୁତ ଦିନପରେ ଦିନେକ ସଂଧ୍ୟାରେ ଚାହିଁଛି ଅଂଗନେ ମୋହରି ।

କିଏ ସେ ଛାୟାପରି ପଛୁ ମୋ ବୁଲିପଡ଼ି, କରୁଣ କଣ୍ଠରେ କହିଲା,

ଯାହା ମୁଁ କହିଥିଲି ଶେଷକୁ ସେୟା ଏକା ଏ ମୋର ଜୀବନରେ ହୋଇଲା;

ବଂଚି ପାରିବିନି ତୁମକୁ ନ ପାଇଲେ

ବଂଚି ରହିନି ମୁଁ ଏ ମହା ଧରଣୀରେ;

ଏତିକି କହିଛି ସେ, ତାହାରି ଆଖିତଳୁ ଦି’ଟୋପା ଲୁହ ଅବା ବୋହିଲା;

କିଏ ସେ ଛାୟାପରି ପଛୁ ମୋ ବୁଲିପଡ଼ି, କରୁଣ କଣ୍ଠରେ କହିଲା-

ଦେଖିଲି ସେ’ ଯେ ମୋର ପରାଣ ଇପ୍‌ସିତା ସ୍ୱର୍ଣ୍ଣପ୍ରଭା ଠିଆ ହୋଇଛି,

ସ୍ୱର୍ଣ୍ଣଶିରୀ ତା’ର ସକଳ ଦେହମନୁ ବିକଳେ ଝାଉଁଳି ତ ଯାଇଛି;

ଝରୁଛି ଥପ ଥପ ଲୋଚନୁ ଲୁହ ଧାର,

ବୋହିଛି ବୁକୁ ତଳେ ଗଭୀର ବ୍ୟଥା ଭାର,

ହୃଦୟ ମନ୍ଦିରେ ଅର୍ଘ୍ୟ ଦେଇ କିବା ନିଜର କରି ମୋରେ ଥୋଇଛି,

ଦେଖିଲି ସେ ଯେ ମୋର ପରାଣ ଇପ୍‌ସିତା ସ୍ୱର୍ଣ୍ଣପ୍ରଭା ଠିଆ ହୋଇଛି;

ହେ ମୋର ପ୍ରିୟତମ ମୋ ପାଇଁ କିଆଁ ତୁମ ଜୀବନ ସାରା ପୋଡ଼ିଜଳିବ

ମୋତେ ତ ଚାହିଁ ଚାହିଁ କିଛି ତ ଲାଭ ନାଇଁ ମୋପାଇଁ କିଆଁ ତୁମେ ସଢ଼ିବ ?

ଅନେକ ସଂଗିନୀ ଜୀବନେ ନିଅ ବରି

ପରାଣ ପାତ୍ରରେ ଯେ ମଧୁ ଦେବ ଭରି,

ସେତିକି ଭାଗ୍ୟ ମୋ ଯେବେ ଏ ହତଭାଗୀ ଟିକିଏ ମନେ କେବେ ପଡ଼ିବ ।

ହେ ମୋର ପ୍ରିୟତମ ମୋ ପାଇଁ କିଆଁ ତୁମ ଜୀବନ ସାରା ପୋଡ଼ିଜଳିବ;

ବିଜୟୀ ହୁଅ ତୁମେ ଜୀବନ ସଂଗ୍ରାମେ ନ ପଡ଼ୁ ବଂଧନ ତୁମରି,

ମୁଁ କାହିଁ ହଜିଯାଏ ଅସୀମ ଶୂନ୍ୟରେ ତୁମରି ସୁଖଶିରୀ ସୁମରି,

ମୋ ପାଇଁ ହୁଅନାଇଁ ବ୍ୟସ୍ତ କେବେ ବାରେ,

ସେ କେଉଁ ଜନମରେ ମିଳନ ହୋଇପାରେ;

ଲୋତକ ଆସେ ବହି ପାରୁନି ଆଉ କହି ବୁକୁରେ ଯାହା ଉଠେ ଗୁମରି;

ବିଜୟୀ ହୁଅ ତୁମେ ଜୀବନ ସଂଗ୍ରାମେ ନ ପଡ଼ୁ ବଂଧନ ତୁମରି;

କହିଲି ମୋହ ପାଇଁ ଜୀବନ ଗୋଟି ଦେଇ ମୋତେ ବି ଲବେ ଛାଡ଼ିପାରିନ,

ସକଳ ସୁଖ ପାଇଥାନ୍ତ ରାଣୀ ହୋଇ, ମୋ ଘେନି କାହାକୁ ତ ବରିନ !

କେସନେ ଧରଣୀରେ ମୁଁ କାରେ ନେବି ବରି,

ମୋର କେ’ ଆପଣାର ତୁମଠୁ ଅଛି ବଳି ?

ଜୀବନେ ହସି ହସି ମୋହରି ପାଇଁ ତୁମେ କି ମହାତ୍ୟାଗ ସତେ କରିନ ?

କହିଲି ମୋହ ପାଇଁ ଜୀବନ ଗୋଟି ଦେଇ ମୋତେ ବି ଲବେ ଛାଡ଼ି ପାରିନ;

ମୋତେ ଗୋ ନିଅ ସହି ଯେଉଁଠି ଅଛ ରହି ନିଇତି ଏଇ ଛାଇ ରୂପରେ !

କି ସୁଖଶିରୀ ମୋର ବଂଚି ରହିବାର ଅନ୍ଧ ଏ ଧରଣୀ କୂପରେ !

ତୁମେ ମୁଁ ଦୁଇ ଜଣ ଜଣକୁ ଜଣେ ଚାହିଁ

ତରଣୀ ଆମର ଗୋ ସୋହାଗେ ନେବା ବାହି,

ବୁଲିବା ବିଲବନ-ପାହାଡ଼-ପରବତ ତଟିନୀ ସଇକତ ସ୍ତୂପରେ

ମୋତେ ଗୋ ନିଅ ସହି ଯେଉଁଠି ଅଛ ରିହ ନିଇତି ଏଇ ଛାଇରୂପରେ

ରହିବି ନାଇଁ ମୁହିଁ ଗୋଟିଏ କ୍ଷଣ ପାଇଁ ତିକ୍ତ ଏ ଧରଣୀ ବୁକୁରେ

ମୋତେ ଗୋ ନେଇଯାଅ ଛାଡ଼ି ମୁଁ ଏଇ ଦେହ ମିଶେଗୋ ତୁମ ମନମୁକୁରେ;

ମୋ ପାଇଁ ଧରାରେ ଯେ ଜୀବନ ଦେଇପାରେ,

ନୀରବେ ବୁଡ଼ିଯାଇ ତପ୍ତ ଲୁହ ଧାରେ,

ତାହାରି ଲୁହେ ଲୁହେ ସୋହାଗେ ମିଶିଯାଏ ତାହାରି ଭିତରେ ମୁଁ ମୁକୁଳେ

ରହିବି ନାଇଁ ମୁହିଁ ଗୋଟିଏ କ୍ଷଣ ପାଇଁ ତିକ୍ତ ଏ ଧରଣୀ ବୁକୁରେ

ସ୍ୱର୍ଣ୍ଣପ୍ରଭା ମୋର ସ୍ୱର୍ଣ୍ଣପ୍ରଭା ପରି ଆହୁରି ଉଠିଲା ଯେ ଝଟକି

ମୋ’ପରେ ଏତେ ଲୋଭ ମୋର ଏ ଗଉରବ, ନଥିଲି ଜାଣି ଏହା ସତ କି ?

ଛାଡ଼ିନି ଏ ଧରଣୀ ତୁମକୁ ମୋହ ରାଣେ

ତୁମରି ପାଶେ ପାଶେ ମୁଁ ଥିବି ଅନୁକ୍ଷଣେ

ଖୋଜିଲେ ତୁମେ ମୋତେ ଡ଼ାକିଲେ ତୁମେ ମୋତେ ଆସିବି କାହିଁ ନାଇଁ ଅଟକି ।

ସ୍ୱର୍ଣ୍ଣପ୍ରଭା ମୋର ସ୍ୱର୍ଣ୍ଣପ୍ରଭା ପରି ଆହୁରି ଉଠିଲା ଯେ ଝଟକି !

ସେଦିନୁ ତାରେ ମୁହିଁ ନିଇତି ଅଛି ଚାହିଁ ସେ ମୋରେ ରହିଅଛି ଚାହିଁତ;

ସୁଖ ଓ ଦୁଃଖରେ ବିପଦ ଆପଦରେ ମୋ ପାଇଁ ମେଲିଛି ତା’ ବୋଇତ,

ମୋହରି ପାଶେ ପାଶେ ଟିକକ ଛାଇ ତା’ର

ମୋତେ କି ଅମୃତ ଦେଉଛି ଅନିବାର !

ଦିନେ ମୁଁ ତା ଛାଇରେ ମିଶିବି ଛାଇ ହୋଇ ଏ ମଧୁ ଆଶା ଅଛି ରହିତ

ସେଦିନୁ ତାରେ ମୁହିଁ ନିଇତି ଅଛି ଚାହିଁ ସେ ମୋରେ ରହିଅଛି ଚାହିଁ ତ

•••

 

ଆଘାତ

 

–୧–

ହସିଖେଳି ପାରୁନାହିଁ ଚାଲି ଏଇ ଅୟନେ

ବନ୍ଦୀ ପରାଏ ବସି ରହିଅଛ କୁଟୀରେ

କିଛି ସୁଖ ଲାଗୁନାଇଁ ସପନେ କି ଶୟନେ;

ଜୀବନଟା ଲାଗୁଅଛି ଖାଲି ଖାଲି ତୁମରି

ଜୀବନର କେତେ କଥା ଦିନରାତି ସୁମରି;

–୨–

କେତେ ଦୂରୁ ଆସି ଆଜି କେତେ ଦୂରେ ରହିଛ,

ତିଳ ତିଳ କରି ତୁମ ନିଃସ୍ୱ ଜୀବନଟିକ,

ଜାତି ପାଇଁ ଦେଶ ପାଇଁ ଦେଇଛ

ସାଧୁ ଓ ସଚୋଟ ରୂପେ ଚଳି ଚଳି ଜୀବନରେ

ସହି ସବୁ ଧକ୍‌କା

ଜୀବନର ରାଜପଥେ ଚାଲି ଚାଲି ଆସିଛ

ଆଜି ତୁମେ ପ୍ରାଣହୀନ ପରି ଖାଲି ବସିଛ !

 

–୩–

କିଏ କେତେ ସଖା ସାଥୀ

ଆସୁଥିଲେ ବସୁଥିଲେ ନିତି ତୁମ ପାରୁଶେ

ଚାଳିଥିଲ ତୁମେ ପରା ସକଳକୁ

ଆପଣାର କରି ହେ

ଏ କୁଟୀର ବାଟଦେଇ ଯା’ନ୍ତି ସଭିଏ ଚାଲି,

ପ୍ରତିନିତି ହସି ଖେଳି ରାତିଗୋଟି ପାଇଲେ

ଜଣେ କିଏ ତୁମକୁ କି

ଆଡ଼ ଆଖି ଢାଳି ଲବେ ଚାହିଁଲେ ?

–୪–

କେଡ଼େ ହୀନମାନ ଆଜି ଜୀବନଟା ଲାଗଇ

କୃଷ୍ଣ ବାରିଦ ପରି ଅନ୍ତର ତଳେ ତଳେ

ସୀମାହୀନ ଶତବାଧା ଜାଗଇ,

ବୋହିଯାଏ ଆଖିତଳୁ ଧାର ଧାର ଲୁହ ଯେ,

କୋହପରେ ଆସେ ଖାଲି କୋହ ଯେ;

 

–୫–

ଜୀବନର ଏତେ ବାଧା ସଂକଟ ବିଷମ

ସହିତ ପାରୁନି ତୁମ ନିଃସ୍ୱ ନିରୀହ ବୁକୁତଳ ହେ

ପରାଣୁ ଯାଉଛି ତୁଟି ଦମ୍ଭ ସାହସ ତେଜ ବଳ ହେ;

ବିକଳୁ ବିକଳ ହୋଇ

ଚାରିଆଡ଼େ ଚାହିଁ ଚାହିଁ

ପାଇ ତ ପାରୁନ କୁଳ ଥଳ ହେ ।

–୬–

କୁଟୀରେ କୁଟୀର ରାଣୀ

ଚାହିଁ ଚାହିଁ ତୁମରି ଏ ଦୁର୍ଦ୍ଦଶା ଦଇନି,

କଣ୍ଟା ଗଲେଣି ହୋଇ ମାଂସ ପଳେକ ଦେହେ ରହିନି;

ଦିନ ଯାଇ ରାତି ଆସେ

ହାତ ପଛେ ଲୁହ ପୋଛି

କିଛି ଜଣା ପଡ଼ୁନି

କେତେ ସେ କୁଟୀରେ ଏକା ସଢ଼ୁନି ?

 

–୭–

ପାଟି ଖନିମାରିଯାଏ, ଶିଶୁପରି ପଚାରୁଛ ମୋତେ ହେ

‘ଆଉକି ହେବିନି ଭଲ ସତେ ହେ;

ଆଉକି ତୁମରି ତୁଲେ

ଚାଲି ଚାଲି ପଥଧାରେ ଯିବିନି

ଛାତ୍ର ଗହଣେ ମୋର ଯା’ ଦେବାର ଦେବିନି ?

ପଙ୍ଗୁ ପରାଏ ମୁହିଁ ରହିଥିବି କାଳକାଳ ଧରି ହେ

ନିଃସ୍ୱ ମୋ ଜୀବନକୁ ଜୀଅନ୍ତା-

କଲବଲ କରି ହେ ?’

–୮–

ଏ ପଦିକ ବାହାରିଲା ବେଳେ ତୁମ ଓଠରୁ

ଓଠ ଥରି ଯାଉଥିଲା

ଦେଖିଛି ମୁଁ ଦେଖିଛି

ଉଷ୍ମ ଲୋତକଟିଏ

ତଳେ ଝରି ପଡ଼ିଲା

ଅଞ୍ଚଳ ଫେରି ମୋର

ପୋଛି ଦେଲି ଲୁହଟିକ

ନିଜ ହାତେ ନିଜେ ମୁଁ

ତଥାପି ତ

ଶ୍ରାବଣର ଧାରା ପରି;

ଝରିଲା ସେ ଝରିଲା !!

–୯–

ସୀମାହୀନ ବେଦନାର ଲୁହ ସେ

କେଡ଼େ ତିକ୍ତ ବା ନୁହଁ ସେ ।

ବୁକୁ ଚିରି ଗଉରବ ସେ ଲୁହରେ

ଦେବି ନିକି ମୁହିଁହେ

ଏ ଦେହମନର ପ୍ରତି ସୂକ୍ଷ୍ମ ସେ କୋଷେ କୋଷେ

ଯାଏ କି ଗଭୀରେ ଛୁଇଁ ଛୁଇଁ ହେ !

–୧୦–

ଏ ଗଛପତର ଏଇ ଫୁଲଫଳ ସମୀରଣ

ଏଇ ପଥ ପ୍ରାନ୍ତର ଏଇ ନଈ ନାଳ ହେ !

ସବୁଠି ବୁଲିଛ ଚାଲିଛ କାଳ କାଳ ହେ !

ଏଇ ଗାଆଁ ଏଇ ମାଟି

କେତେ ପ୍ରିୟ କେତେ ସାଥି

କାହା ତୁଲେ କେତେ ଦେଖା ହେବାର

ସବୁ ଆଜି ରହିଗଲା ବହୁଦୂରେ କାହିଁ ଯେ,

ତୁମ ପାଇଁ ଏ ସବୁରେ

ସଂପଦ ଆଉ କିଛି ନାଇଁ ଯେ !

–୧୧–

ବିଜନ-କୁଟୀର କଣେ ରହି ସାତ ହୀନିମାନେ

କିଭଳି ଜୀବନ କାଳ କାଟିବ ?

ଅଭାବ ଓ ଅନାହାରେ ସୀମାହୀନ ହାହାକାରେ

ବୁକୁତଳ କି ବିକଳେ ଫାଟିବ !

ଭିତରଟା ଅନ୍ଧାର ବାହାରଟା ଅନ୍ଧାର

ଚାରିଆଡ଼ ଅନ୍ଧାର ଖାଲି ହେ

ଏ ବିରାଟ ଅନ୍ଧାରେ ଅନ୍ଧ ଜୀବନ ତବ

ଛାଡ଼ୁଥିବ କି ବିରାଟ ରଡ଼ି ହେ;

‘ଆଲୋକ ! ଆଲୋକ ଆସ

କାଢ଼ି ନିଅ ମୋର ପ୍ରାସ’ !

ଗଭୀର ମରମତଳ ଛାଡ଼ୁଥିବ ଡାକ ହେ

କେହି ତ ନଥିବେ ତୁମ ପାଖ ହେ;

 

–୧୨–

ଧନହୀନ, ମାନହୀନ, ସଖାହୀନ, ସାଥିହୀନ

ପ୍ରାଣହୀନ ପରି ଜୀଇଁ ରହିଲେ

କି ସୁଖ ସରାଗ ଅଛି ମହୀରେ !!

ନିମେଷ ନିମେଷ ଧରି

ପ୍ରାଣ ଉଠୁଥିବ ଥରି

ବଞ୍ଚିତ ଜୀବନର

ହେବାପାଇଁ ସହଚର

କୁଣ୍ଠିତ ଏ ଧରଣୀ

ସବୁଦିନ ପାଇଁ କି

କପାଳ ଆଦରି ତୁମେ

ରହିଥିବ ନାଇଁ କି ?

•••

 

ରାଣୀର ଅଭିଶାପ

 

ଦଳବେହେରା

‘‘ରାଜାର ହୁକୁମ ମୁଁ ପାଳିବି

ଲକ୍ଷେ କଲେ ତୁମେ କାକୁତି ଓ ମିନତି

ରାଜାର ହୁକୁମ ନାଇଁ ଛାଡ଼ିବି;

ମୁଁ ଦଳବେହେରା ଯେ

ଲକ୍ଷ ପାଇକରେ ମଉଡ଼ମଣି

ନିମକ ସଚ୍ଚା ମୁଁ

ରାଜାର ଦୟାଦାନେ ଧନୀରୁ ଧନୀ ;

ଜୀବନେ ହେଲା ଆସି

ଷାଠିଏ ବରଷରୁ ଚାଆରୀ ଊଣା

ମୋହରି କାମେ ମୁହିଁ କରଇ ତତ୍ପରି

ଦେଇନି ମୋତେ ତିଳେ କେ’ ଉଲୁଗୁଣା ;

ଏ ପାଖ ସେ ପାଖ ମୁଁ ହୋଇନି

କେବେ ହେଲେ,

ପାରେନି ହୋଇ;

ରାଜାର ହୁକୁମ ମୁଁ ପାଳିବା ଲାଗି

ଜୀବନ ଗୋଟି ମୋର

ପାରିବି ଦେଇ;

ରାଜାର ହୁକୁମ ମୁଁ ପାଳିବି

ଲକ୍ଷେ କଲେ ତୁମେ କାକୁତି ଓ ମିନତି

ରାଜାର ହୁକୁମ ନାଇଁ ଛାଡ଼ିବି ।’’

ରାଣୀ

‘‘ରାଜାର ହୁକମ୍‌ ତୁମେ ପାଳିଚ ପାଳିଚ ତ

କିପରି ଆଉ ତୁମେ ପାଳିବ ?

ସବୁ ତ କରିଅଛ

କଅଣ ଅଧିକ ବା କରିବ ?

ରାଜ୍ୟ ଜିଣିଅଛ

ନେଇଛ ରାଜବାଟୀ

ରାଜାର ମସ୍ତକ ନିଷ୍ଠୁରେ ଦେଇ କାଟି,

ବିଧବା କରି ମୋତେ ଏ ନବ ଯଉବନେ,

ଠିଆ ତ କରାଇଛ ଏ ମହା ଧରଣୀରେ

ବୁଡ଼ି ମୁଁ ରହିଅଛି ତପ୍ତଲୁହ ନୀରେ ;

କାଲିର ରାଣୀ ମୁହିଁ,

କାଲିର ଲକ୍ଷ୍ମୀ ମୁଁ,

ଆଜି ମୁଁ ଭିକାରିଣୀ,

ଆଜି ମୁଁ ମାନହୀନା,

ମୋ ଭଳି କିଏ ଥିବ

ଏଡ଼େକ ଦୁଃଖିନୀ ଗରିବ !

ସବୁ ତ କରିଅଛ ଅଧିକ କଣ ବା କରିବ ?

ଦଳବେହେରା

‘‘ଆଜି ତ ଆସିଅଛି ରାଜାର କଡ଼ା ଏକ ହୁକୁମ୍‌

ନାଇଁ ପାଳିଲେ ମୁହିଁ,

ହେବି ରାଜାର ଦରବାରେ ବେକୁମ୍‌;

ତୁମରି କୋଳର ଏ ଗୋଟିକ ସନ୍ତାନ

ମୁଣ୍ଡ କାଟି ତା’ର ଏ ମୋର ଖଣ୍ଡାରେ

ରାଜାର ଦରବାରେ ଭେଟିବି,

ଟିକିଏ ଦେବି ନାଇଁ ତୁମକୁ ଫୁରୁସତ

ଏଇଲେ ତାହାରେ ମୁଁ କାଟିବି ;

ଖଣ୍ଡା ସଜାଉଛି ଦାଢ଼ୁଆ ଗଲେ ହୋଇ

ତା’ଟିକି ମୁଣ୍ଡରେ ନୀରବେ ଦେବି ଥୋଇ

କରନି ବେଶି କଥା ବାରତା

ରାଜାର ଖାଇଛି ମୁଁ ରାଜାର ହୁକୁମ ଯେ ପାଳିବି,

ନଇଲେ ହେବି ତା’ର ଧାର୍‌ତା !’’

 

ରାଣୀ

‘‘ରାଜାର ମିଞ୍ଜାସ ଜାଣିଚି ଜାଣିଚି ମୁଁ’’

ତହିଁରେ ଓଜନ କି ଥାଏ ହେ ?

ତହିଁରେ ନାଇଁ ଥାଏ ଆଗ ଓ ପଛ କିଛି ବିଚାର

ଯେବେ ସେ ଯାହା ହୋଇଯାଏ ହେ !

ଦୁଗ୍‌ଧ ପୋଷ୍ୟ ଏ କ୍ଷୁଦ୍ର ଶିଶୁଟିଏ

ରାଜାର କ୍ଷତି କିବା କରିବ ?

ହସୁଛି ଖେଳୁଛି ସେ ହଲାଇ ହାତ ପାଦ

କେ’ଜାଣେ ଜୀଇବ କି ମରିବ !

ରାଜ୍ୟ ନାଇଁ ତା’ର ନାଇଁ ତା’ ରାଜବାଟୀ

ଭିକାରୀ ପିଲା ପରି ସେ ପଡ଼ିରହିଅଛି

କାହାର ଶତ୍ରୁ ବା ହୋଇବ ?

ରାଜାରେ କହି ତୁମେ

ତୁମରି ପ୍ରଜା ସିଏ

ତୁମରି ପୁଅ ପରି

ତୁମରି ରାଇଜର-

ସେ କେଉଁ କଣେ ହେଲେ ରହିବ;

 

 

ଦଳବେହେରା

‘‘ହେ ରାଣୀ ! ତୁମେ ମୋତେ ଦେଉଛ ଉପଦେଶ,

ତୁମରି ପୁଅ ପାଇଁ ଜୀବନ ଭିକ୍ଷା ମୁଁ କରିବି,

ତା’ମାନେ ମୋତେ ମୁହିଁ

ହତ୍ୟା କରି ଖାଲି ଫେରିବି ;

ଆସିନି ଶୁଣିବାକୁ ତୁମଠୁ କିଛି କଥା,

ପୁଅରେ ଦିଅ ଛାଡ଼ି

ପାଶୋରି ଏ ମମତା,

ହତ୍ୟା କରିବିଇଁ କରିବି,

ରାଜାର ହୁକୁମ ମୁଁ ପାଳିବି ।’’

ରାଣୀ

‘‘ହେ ଦଳବେହେରା ! ମୁଁ କହୁଛି ହାତ ଧରି,

କହୁଛି ଓଠ ଧରି,

ଏକଇ ମାତ୍ର ମୋ କନକ ପିତୁଳୀରେ

ହତ୍ୟା କରି କିବା ପାଇବ ଅବନୀରେ ?

ତାହାକୁ ଛାଡ଼ି ଦିଅ,

ରାଜାରେ ଦିଅ ସବୁ ବୁଝାଇ,

କାହିଁକି ଯିଦ୍‌ ଧରି

ବସିଚ ତଲୁଆର ପଜାଇ ?

ତୁମରି ହାତେ ୟା’ର ଜୀବନ ନାଟିକାଟି

ରଖିଲେ ରଖିପାର, ଅଥବା ପାର କାଟି

କାହିଁକି ଅନ୍ୟାସ କାରଣେ ନିରୀହ ଏ–

ନିଃସ୍ୱ ଶିଶୁଟିରେ ମାରିବ ?

କାହାର କଅଣ ସେ କରିବ ?

ମୋହର ଆଖି ଏଇ ନିଧନ ସଙ୍ଖାଳି

ୟାକୋଇ ଚାହିଁ ଚାହିଁ ପାରିବି ପଥ ଚାଲି,

ୟାକୋଇ ଦେଖିଦେଲେ

ଭାଳିବି ସବୁ ମୋର ରହିଛି,

ଦଇନି ଯିବି ଭୁଲି,

ଯେତେ ଯା’ ଏ ବୁକୁରେ ବୋହିଛି,

ହେ ଦଳବେହେରା ହେ !

ଘରର ତୁମେ ପୁଅ

ଜାଣିବା ଲୋକ ହୋଇ

ଅବୁଝା କିଆଁ ହୁଅ ?

ତୁମରି ବୁକୁତଳେ ଟିକିଏ ଦୟା ନାଇଁ ।

ଛୋଟ ଏ ଶିଶୁଟିର ଜୀବନ ନେବାପାଇଁ,

ଲଗାଇଅଛ ଯିଦ୍‌କିଆଁ ହେ ?

 

ନିଷ୍ଠୁର ଉପାଦାନେ

ନୁହେଁ ତ ଗଢ଼ା ବୀର ହିଆ ହେ !!

ଦଳବେହେରା

‘‘ହେ ରାଣୀ ! ଦୂରେ ରହ ଶିଶୁଟି ରଖି ଦେଇ,

ମୋ ତୁଲେ ବେଶି କଥା ହୁଅନି,

ଆଖିରୁ ଲୁହ ଢ଼ାଳି

ମୋ ହାତ ଓଠ ଏତେ ଛୁଅଁନି;

ହତ୍ୟା କରିବିଇଁ କରିବି,

ରାଜାର ହୁକୁମ ମୁଁ ପାଳିବି !’’

ରାଣୀ

‘‘ହେ ଦଳବେହେରା ହେ ଦଳ ବେହେରା !

ଏ ଭଳି ରକତ ପିଣ୍ଡୁଳିଟିଏ

ଚାରି ଛ ମାସର ହେବ,

ତାକୁ ମାରି କିବା ପାଇଲ ହେ ଗଉରବ ?

ଓଠରେ ତାହାର ଫୁଟିତ ନଥିଲା ଭାଷା

କାହାର କରନ୍ତା କ୍ଷତି ବା ଅମଙ୍ଗଳ

ଜାଗିତ ନଥିଲା ବୁକୁତଳେ କିଛି ଆଶ;

ଏ ମହା ପୃଥିବୀ ପରେ

ହସି ଖେଳି ସେତ ଛୋଟ ଝରଣାଟି ପରି

ଝରି ଚାଲି ଥିଲା ବଣବୁଦା ତଳେ ତଳେ ;

ମୁନିବର ଏଇ ଘୃଣ୍ୟ ହୁକୁମ ମାନି

କିବା ବଡ଼ଲୋକୀ ଦେଖାଇ ହେଉଛ ତମେ ?

ଟଙ୍କା ପଇସା ଶତ କୋଠା ବାଡ଼ି କରି,

ବଂଚି ରହିଛ ଶତ ମୁଖ ସନମାନେ;

ଏତେ ଗୋଲାମିର ନର୍କ ଭିତରେ ବୁଡ଼ି,

ପାଲଟି ଯାଇଛ ନିର୍ମମ କୃମୀ କୀଟ,

ତୁମକୁ ଲାଗୁଛି ମିଠା ସେ ନର୍କ ପାଣି,

ତୁମ ପାଖେ ଯାହା ଅମୃତ ଖାଲି ମିଛ !

ହେ ଦଳ ବେହେରା ! ମନେରଖ ! ମନେରଖ !

ମୋ ଭିତର ଆଜି କାନ୍ଦି ଉଠୁଛି

ମୋ ଧନମାଳୀରେ ଚାହିଁ,

କିଭଳି ମାରିବା ପାଇଁ ଉଠାଇଲା ହାତ ?

ସେଇ ହାତେ କେଉଁ କମ୍ର ଶିଶୁର–

ପରଶ କି ଲାଗିନାଇଁ ?

ନିଜେ ଭୂସି ହୋଇ ନିଜ ଦେହେ ତଲୁଆର

ମୋ ଧନମାଳୀର କଟା ମୁଣ୍ଡଟି

ମୋ ବୁକୁ ଉପରେ ଥୋଇ,

ଚିରଦିନ ପାଇଁ ବୁଜିବି ନୟନ ଡୋଳା,

ମହା ଦୁଃଖିନୀ ଜୀବନରେ ମୋର

ଏତେ ବିଲିବିଲା ପାରିବି ନାଇଁ ତ ବୋହି !

ହେ ଦଳବେହେରା ! ମନେରଖ ମନେରଖ !

କୋଳୁ ଛଡ଼ାଇ ମୋ ଧନରେ ଦେଇଛ ହାଣି,

କେତେ ନିର୍ମାଖି ହୋଇ କହିଲି ତ ଧରି ହାତ

ନିର୍ମମେ ତଳେ ପକାଇଦେଲ ମୋ ବାଣୀ;

ଜନମେ ଜନମେ ଯୁଗେ ଯୁଗେ ତୁମ ପୁରେ

ତୁମରି ବଂଶ ଥିବାଯାଏ ମହୀ ତଳେ,

ପୁତ୍ରର ମୁଖ କେହି ଦେଖିବନି ଜଣେ

ଯେତେ ଯହିଁ ତୁମେ ଯାଗ ଯଜ୍ଞ ବା କଲେ ।

ମୋ ଭିତରେ ଆଜି କୁହୁଳୁଛି ଯେଉଁ ନିଆଁ,

ମୋ ଆଖିରୁ ଯେଉଁ ରକ୍ତ ପଡ଼ୁଛି ଝରି

ନିଭି ସେ ଯିବନି ନିଭି ପାରିବନି କେଭେଁ,

ସୀମାହୀନ ଯୁଗ କାଳର କପାଳେ

ଯାଉ ପଛେ ଅପସରି;

ଚାଲିଲି ଚାଲିଲି ମୋ ଧନମାଳୀରେ ଚାହିଁ,

ଟିକିଏ ଆଉଁସି ତାହାରି କଅଁଳ ଦେହ

ରକ୍ତରେ ଯାହା ହୋଇଅଛି ସଲବଲ,

ମୋହରି ପରଶ ପାରିବ ସେ ଅନୁଭବି ?

ମୋହ ଭଳି ପୋଡ଼ା କପାଳୀର ହୀନପେଟୁ

ଜନ୍ମ କାହିଁକି ହେଲୁ ଧନମାଳୀ ମୋର !

ବାଂଝୁଣୀ ହୋଇ ଅନ୍ଧୁଣୀ ହୋଇ ଯାଇଥାନ୍ତି ମୁଁ ମରି ;

ତୁ ପଛକେ କେଉଁ କାଙ୍ଗାଳ ଘରେ ଫୁଟି,

ଖେଳୁଥାନ୍ତୁ ତା’ କୁଟୀର ଆଲୋକ କରି;

ଖୁଦଭଜା ଖାଇ, ଖାଇ ମାଣ୍ଡିଆ ଜାଉ

ଦିନୁ ଦିନ ତୁହି ଉଦାସ ପୁଲକେ

ଉଠୁଥାନ୍ତୁରେ ବଢ଼ି !

ଚାଲିଲି ଚାଲିଲି, ଛାଡ଼ିଏ ଧରଣୀ ମାଟି,

ରହିବାକୁ ଯହିଁ ଏକ ମୁହୂର୍ତ୍ତ

ଚାହିଁବାକୁ ଯାରେ ଗୋଟିଏ ପଲକ,

ଭଲ ମୋରେ ନାଇଁ ଲାଗେ,

କିଏ ମୋର ଅଛି ବିଲ ବଣ ଗାଆଁ ଆକାଶ ବତାଶ ଧରି

ମୋ ପାଇଁ ଯା’ବୁକେ ଟିକିଏ

ବେଦନା ଜାଗେ !

କହି ଯାଉଛି ମୁଁ ଏଇ ମୋର ଶେଷ ବାଣୀ

ମୋର କଲିଜା ଫଟାଇ

ବାହାରି ଆସୁଛି ଯାହା–

ହେ ଦଳବେହେରା ମନେରଖ ମନେରଖ

 

 

ଜନମେ ଜନମେ ଯୁଗେ ଯୁଗେ ତୁମ ବଂଶରେ କେହି ଜଣେ

ଦେଖି ପାରିବନି ତନୟ-ସ୍ୱର୍ଣ୍ଣ-ମୁଖ’’

•••

 

ପାହାଡ଼ି ବାଳିକା

 

ଦୁର୍ବହ ଜୀବନର ଦୁର୍ବହ ବେଦନା

ବୁଝିକି ପାରିବ ତୁମେ ପାହାଡ଼ର ବାଳିକା !

ହସି ହସି ଲୋଟିଯାଅ ଅନ୍ତର ପୁଲକେ,

ଫୁଟି ଶୋହୁଅଛ କିବା ବନ ଫୁଲ କଳିକା !

ନିଃସ୍ୱ ମୁଁ କବି ଜନ ଜଗତର ସଂଗ୍ରାମେ

ବନ୍ଧା ହୋଇଛ ପରା ନିୟତି,

ବୁକୁ ତଳେ ତଳେ ମୋର

ଜାଗେ ନାଇଁ ଜାଗେ ନାଇଁ

ସ୍ୱଚ୍ଛ ସୋହାଗ ପରା କିୟତ;

ଲୁହରେ ଲୁହରେ ମୋର ଦିନମାନ ଚାଲଇ,

ବହୁ ବାଧା ଦିନରାତି ହନ୍ତସନ୍ତ ମୋତେ କରଇ,

ନାଇଁ ସୁଖ ସମ୍ପଦ ଘରେ ଆଉ ବାହାରେ,

ନାଚି ନାଚି ହସି ହସି

ମୋ ଜୀବନ ତରୀ ଆଉ,

ଏ ମହାସାଗରେ ନାଇଁ ବୁଲଇ !

ଏକଇ ନିମେଷ ଏଇ ସଂସାରେ ଚାଲିବା

ଏତେ ଏତେ କଷ୍ଟ ମୁଁ ନାଇଁ ଜାଣିଥିଲି ତ,

ବ୍ୟର୍ଥ ବିଫଳ ହୋଇ ଏ ଜୀବନ ଚାଲିଲା,

କାହାକୁ କହିବି କହ,

କେବଳ ରହିଚି ଯାହା

ନୟନେ ନୟେନ ଲୁହ ଭରି ତ !

ତ୍ୟକ୍ତ ମୁଁ ତିକ୍ତ ମୁଁ ପୃଥିବୀରେ ସବୁରି,

କାହା ପାଖ ମାଡ଼େନାଇଁ

ମାଡ଼ି ନାଇଁ ପାରେ ତ,

ମୋର ନାଇଁ ଧନଜନ ସମ୍ପଦ ବିଭବ,

ମୋରେ କେହି ଲେଖା ନାଇଁ କରେ ତ !!

ଏ ହତଭାଗାର ତୁଲେ କିଏ ସାଥି ହୋଇବ,

କିଏ ତାକୁ ଅନ୍ତର ଭରି ଭଲ ପାଇବ,

କିଏ ତା ମରମ ତଳେ

ଫୁଟାଇବ ଫୁଲ ଗୋ

ରହିଛି ଯା ଶୁଷ୍କ ଓ ମରୁଭୂମି ପରିକା ?

ଏତେ ଏତେ କଥାମାନ କହିଯାଏ ତୁମରେ,

ବୁଝି କି ପାରିବ ତୁମେ

ପାହାଡ଼ର ବାଳିକା !

ସୁନ୍ଦର ସୁମହତ ସରଳ ଓ ସ୍ୱଚ୍ଛ

ତୁମରି ଏ ଅନ୍ତର ଟିକକ

ମୋତେ ଗୋ ଲାଗଇ ଆଜି ଅଧିକରୁ ଅଧିକ !

ତୁମକୁ କହିବି ନାଇଁ,

ମୋ ଜୀବନ କାହାଣୀ,

ବାଧିବ ତୁମରେ କାଳେ ସହି ଗୋ !

ଏ ବନ ବିପିନମାଳେ, ହସି ହସି ନାଚି ନାଚି

ମନ୍ଦ-ମଳୟ ପରି,

ଚିରଦିନ ଥାଅ ତୁମେ ରହିଗୋ !

ଏଇ ବନ-ବିପିନର ଶୁଆ ଶାରି ପରିକା

ଗୀତ ଗାଇ ଗାଇ ତୁମେ କାଟିନିଅ–

ଦିନମାନ ହେ ପାହାଡ଼ ବାଳିକା !

ହସ ତୁମେ ହସ ହସ ଆହୁରି, ଆହୁରି ହସ

ନାଚିଉଠୁ ଦେହମନ

ଅମୃତ ବିଭାରେ,

ଯେଉଁଠି ଆନନ୍ଦ ନାଇଁ, ସେଇଠି ଜୀବନ କାହିଁ ?

ଜାନୁପାତି ମାଗେ ଆଜି

ଜୀବନର ସେଇ ରସ ଟିକକ,

କୁଣ୍ଠିତ ହେବ ନାଇଁ ଦବାରେ ।

•••

 

ଟିପ୍‍ପଣୀ

 

ଖୋଜୁଥିବ

 

କବି ଗୁରାଣ୍ଡି ହାଇସ୍କୁଲରୁ ଆସି ଆସିକା ହାଇସ୍କୁଲରେ ଶିକ୍ଷକତା କରୁଥିବାର ଅଳ୍ପ ଦିନ ଭିତରେ କବିତାଟି ଲେଖଗୁରାଣ୍ଡି ହାଇସ୍କୁଲରେ କବିଙ୍କର ଜଣେ ଶିକ୍ଷକ ବନ୍ଧୁ ଥିଲେ । ସେ କବିଭାବାପନ୍ନ ଲୋକ । ଗୁରାଣ୍ଡି ଛାଡ଼ି ଆସିବା ସମୟରେ ତାଙ୍କ ସହିତ କବିଙ୍କର ଦେଖା ହୋଇପାରିନି, କବି ତାଙ୍କ ସହିତ ତାଙ୍କ ସହିତ କବିଙ୍କର ଦେଖା ହୋଇପାରିନି, କବି ତାଙ୍କ ସହିତ ଗୁରାଣ୍ଡି ଅଞ୍ଚଳରେ ବହୁ ପ୍ରାକୃତିକ ଦୃଶ୍ୟ ବହୁଳ ସ୍ଥାନରେ ବୁଲିଚନ୍ତି । ଦୁର୍ଗା ପର୍ବତ ଗୁରାଣ୍ଡି ନିକଟସ୍ଥ ଗୋଟିଏ ସ୍ୱନାମଧନ୍ୟ ପାହାଡ଼ । କବିଙ୍କର ବନ୍ଧୁ ଗରିବ ହେଲେ ବି ପ୍ରତିଭା ସମ୍ପନ୍ନ; ଆସିକା ନିକଟରେ ଋଷିକୁଲ୍ୟା ନଦୀ ବହିଯାଉଚି ।

 

ଜୀବନ୍ତ ବିପ୍ଳବ ତମେ

 

ସୀମା ଆନ୍ଦୋଳନରେ ବେଙ୍ଗପାଣିଆ ଇତ୍ୟାଦି ଯେଉଁମାନେ ଦେଶ ପାଇଁ ଜୀବନ ଦେଇଥିଲେ, ସେହି ଅମର-ଶହୀଦମାନଙ୍କ ପାଇଁ କବିତାଟି ଲେଖାଯାଇଚି ।

 

ଜୀବନ-ନିର୍ଝର

 

ପଣ୍ଡିତ ଗୋଦାବରୀଶଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋସ୍ରବରେ କବିତାଟି ଲିଖିତ । ପଣ୍ଡିତ ଗୋଦାବରୀଶ ଓଡ଼ିଶାର ସ୍ୱନାମଧନ୍ୟ କବି ଓ ବରେଣ୍ୟ ନେତୃପୁରୁଷ । ତାଙ୍କର କବିତା ପୁସ୍ତକ ‘ଆଲେଖିକା’ ‘କଳିକା’,‘କିଶଳୟ’, ନାଟକ ପୁସ୍ତକ ‘ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦଦେବ’ ଓଡ଼ିଆ ସାହିତ୍ୟରେ ଅମର ସୃଷ୍ଟି ।

 

ଆଘାତ

 

ଆସିକା ଉଚ୍ଚ ଇଁରାଜି ବିଦ୍ୟାଳୟରେ କବିଙ୍କର ଜଣେ ବନ୍ଧୁ ଶ୍ରୀମାନ୍‍ ଉଦୟନାଥ ଜେନା ଶିକ୍ଷକତା କରନ୍ତି । ସେ ଏମ୍‍ ଏ, ବି.ଏଲ, ଓ ଡ଼ି.ଇଡ଼ି, ଘରୋଇଛାତ୍ର ଭାବରେ ପାଶ୍‍ କରିଛନ୍ତି । ସେ ବଡ଼ ନରାଡ଼ମ୍ବର, ଶାନ୍ତି ନିରୀହ ଓ ସାଧୁ ପ୍ରକୃତିରର ଲୋକ । ହଠାତ୍‍ ତାଙ୍କର ଦୃଷ୍ଟିଶକ୍ତି ପ୍ରାୟ ନଷ୍ଟ ହୋଇଆସିବାରୁ ସେ ଶିକ୍ଷକତା କରି ନ ପାରିବାରୁ ଘରେ ବସଚନ୍ତି । ମାତ୍ର ବଡ଼ ଅଭାବ ଓ ଦୈନ୍ୟ ଭିତରେ ଅଛନ୍ତି । କବି ତାଙ୍କୁ ଥରେ ଦେଖିବାକୁ ଯାଇଥଇଲେ । ତାଙ୍କ ଘର ଆସିକାଠୁ ବହୁ ଦୂରରେ ଅନୁଗୋଳ ଅଞ୍ଚଳରେ ।

 

ରାଣୀର ଅଭିଶାପ

 

ବାଣପୁର ଅଞ୍ଚଳର ଗୋଟିଏ ଖଣ୍ଡାୟତ ପଲ୍ଲୀରେ ଜଣେ ଦଳବେହେରା ଥିଲେ । ସେ ଖୋର୍ଦ୍ଧା ରାଜାଙ୍କ ଆଦେଶରେ କୌଣସି ଗୋଟିଏ ରାଜ୍ୟ ଜୟ କରିଥିଲେ । ସେ ରାଜ୍ୟର ରାଣୀଙ୍କର ଗୋଟିଏ ଚାରି ଛ’ମାସରର ପୁଅ ଥିଲା । ଦଳବେହେରା ରାଜାଙ୍କ ଆଦେଶରେ ସେହି ଶିଶୁ ପୁତ୍ରଟିକୁ ହତ୍ୟା କରିବାକୁ ଗଲାବେଳେ ରାଣୀ ବହୁ ଅନୁନୟ କରି କହିଲେ ପିଲାଟିକୁ ନ ମାରିବାକୁ । ଦଳବେହେରା ରାଣୀଙ୍କୁ ଅନୁନୟକୁ ନ ମାନି ଶିଶୁଟିକୁ ନିର୍ମମ ଭାରବେ ହତ୍ୟା କଲେ । ରାଣୀ ଅଭିଶାପ ଦେଲେ–‘‘ତୁମର ବଂଶ ଥିବାଯାଏ କେହି ପୁତ୍ର ସନ୍ତାନ ତୁମ ବଂଶରେ ଜନ୍ମିବେ ନାଇଁ’’ । ରାଣୀ ଏହି ଅଭିଶାପ ଦେଇ ଖଣ୍ଡା ଭୁସିହୋଇ ମରିଗଲେ । ତାଙ୍କ ଅଭିଶାପ ଫଳରେ ଏ ପର୍ଯ୍ୟନ୍ତ ବି ସେ ଦଳବେହେରାଙ୍କ ବଂଶରେ କେହି ପୁତ୍ର ସନ୍ତାନ ଜନ୍ମ ହେଉନାହାନ୍ତି ।

Image